କୋଟାରୁ ବରଗଡ଼ ପହଞ୍ଚିଲେ ଛାତ୍ରଛାତ୍ରୀ

ବରଗଡ଼,ଏନ୍ଏନ୍ଏସ୍: ରାଜସ୍ଥାନର କୋଟାରେ ଲକଡାଉନ ଯୋଗୁଁ ଫସି ରହିଥିବା ପ୍ରବାସୀମାନେ ଆଜି ଘରେ ପହଞ୍ଚିଛନ୍ତି। ଏଥିରେ ମୋଟ ୧୯ ଜଣ ଛାତ୍ରଛାତ୍ରୀ ଏକ ସ୍ୱତନ୍ତ୍ର ବସ ଯୋଗେ ବରଗଡ଼ ପହଞ୍ଚିଛନ୍ତି। ଲକଡାଉନ ଯୋଗୁଁ ଉକ୍ତ ଛାତ୍ରଛାତ୍ରୀମାନେ ଆସି ପାରୁନଥିବା ବେଳେ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ କୋଟାର ଜିଲ୍ଲାପାଳ ଏବଂ ଏଲେନ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ନବୀନ ମାହେଶ୍ୱରୀଙ୍କ ସହ ଯୋଗାଯୋଗ କରିବା ପରେ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ସମ୍ଭବ ହୋଇପାରିଥିଲା।

ଉକ୍ତ ବସରେ ବରଗଡ଼ ଜିଲ୍ଳାର ୧୯ ଜଣ ଛାତ୍ରଛାତ୍ରୀ ଏବଂ ଝାରସୁଗୁଡ଼ା ଜିଲ୍ଲାର ୬ ଜଣ ଛାତ୍ରଛାତ୍ରୀ ବରଗଡ଼ ଫେରିଥିଲେ। ବସଟି ରବିବାର ସକାଳ ୬ ଟାରେ ବରଗଡ଼ ବୀର ଛକକୁ ପହଞ୍ଚିବା ପରେ ସେଠାରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ୧୪ ଦିନର ହୋମ କ୍ୱାରେଣ୍ଟାଇନକୁ ପଠା ଯାଇଛି। ଅପରପକ୍ଷେ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଝାରସୁଗୁଡ଼ା ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନିଆଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଡନସେନା, ତହସିଲଦାର ସବ୍ୟସାଚୀ ପଣ୍ଡା, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେସ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ କିଭଳି ସତର୍କତା ଅବଲମ୍ବନ କରିବେ ସେ ନେଇ ପରାମର୍ଶ ଦେଇଥିଲେ।