ମାହାଙ୍ଗା,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ୍ ହଳଦିଆ ପଞ୍ଚାୟତର ହଳଦିଆ ଗ୍ରାମର ଆଇନଜୀବୀ ଶରତ ଚନ୍ଦ୍ର ମିଶ୍ର ଓ ମାତା ବୀଣାପାଣି ଶତପଥିଙ୍କ କନିଷ୍ଠ ପୁତ୍ର ଅବିନାଶ ମିଶ୍ର ଯେ କି କେନ୍ଦ୍ରାପଡା ଅଟୋନୋମସ୍ କଲେଜରେ +୩ ଭୂତତ୍ତ୍ୱବିଜ୍ଞାନର ଶେଷ ବର୍ଷର ଛାତ୍ର ଅଟନ୍ତି। ସେ ଚଳିତ ବର୍ଷ ସର୍ବଭାରତୀୟ ଜଏଣ୍ଟ ଆଡମିସନ୍ ଟେଷ୍ଟ ଫର୍ ମାଷ୍ଟର ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ସମୁଦାୟ ୨,୫୮୧ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୮୨ ତମ ର୍ୟାଙ୍କରେ ରହି କୃତୀତ୍ୱ ହାସଲ କରିଛନ୍ତି। ମାହାଙ୍ଗା ଅଞ୍ଚଳର ସେ ଜଣେ ମେଧାବୀ ଛାତ୍ର ଅଟନ୍ତି।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଭୁବନେଶ୍ୱର ଏବଂ ଭେଙ୍କଟେଶ୍ୱର ଇଂରାଜୀ ମିଡିୟମ୍ ଭୁବନେଶ୍ୱରରୁ ଅଧ୍ୟୟନ ଶେଷ କରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୨ ବିଜ୍ଞାନରେ ନାମ ଲେଖାଇଥିଲେ। ପରବର୍ତ୍ତୀ ସମୟରେ ସେ ଉକ୍ତ ମହାବିଦ୍ୟାଳୟରେ +୩ ବିଜ୍ଞାନରେ ନାମ ଲେଖାଇଥିବା ବେଳେ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଛନ୍ତି। ସେ ଜଣେ ଭଲ ବକ୍ତା ଭାବରେ ଭାଷଣ ଦେଇ ସୁନାମ ଅର୍ଜନ କରିଛନ୍ତି। ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଅବିନାଶଙ୍କ ଏହି କୃତୀତ୍ୱକୁ ସ୍ୱାଗତ କରାଯାଇଛି।