ଟ୍ରାକ୍ଟର ଓଲଟି ଜଣେ ଛାତ୍ର ମୃତ, ୨ ଗୁରୁତର

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ଅନ୍ତର୍ଗତ କାଦୋପଡ଼ା ଗ୍ରାମରେ ଏକ ଟ୍ରାକ୍ଟର ଓଲଟି ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଛାତ୍ର ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଶୁକ୍ର ଭୋଇଙ୍କ ପୁଅ ରତ୍ନା ଭୋଇ(୧୨) । ଗୁରୁତର ଦ୍ୱୟହେଲେ ନବିନା ଭୋଇ(୧୨) ଓ ସଂଗ୍ରାମ ଦେହୁରୀ(୧୨) । ଉପରୋକ୍ତ ୩ଜଣ ଏକା ସାଙ୍ଗରେ ମଳେହିପଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ଟ୍ରାକ୍ଟର ଡ୍ରାଇଭର ନଗେନ ଭୋଇ ନିକଟସ୍ଥ ଜମିରେ ଟ୍ରାକ୍ଟର ମାଧ୍ୟମରେ ହଳ ଧରି ଫେରୁଥିଲେ । ଏହି ସମୟରେ ଉପରୋକ୍ତ ୩ଜଣ ସାଙ୍ଗ ଟ୍ରାକ୍ଟରରେ ବସିଥିଲେ ଏବଂ ଡ୍ରାଇଭର ନଗେନ ମୃତ ରତ୍ନାକୁ କୋଳରେ ବସାଇ ଡ୍ରାଇଭିଂ ଶିଖାଉଥିଲେ । କିନ୍ତୁ କାଦୋପଡ଼ା ରଜା କଟା ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ରାଇଭର ଟ୍ରାକ୍ଟରରୁ ଡିଆଁ ମାରି ଦେଇଥିବାବେଳେ ମୃତ ରତ୍ନାକୁ ଟ୍ରାକ୍ଟର ଚାପି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳକୁ ଆସି ଗୁରୁତର ନବୀନ ଓ ସଂଗ୍ରାମକୁ ଉଦ୍ଧାର କରି ରିଆମାଳ ପୁଲିସକୁ ଖବର ଦେଇଥିଲେ । ପରେ ରିଆମାଳ ଥାନାଧିକାରୀ ଲଳିତା ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁତର ଦ୍ୱୟଙ୍କୁ ଛତାବର ମେଡ଼ିକାଲରେ ଭର୍ତ୍ତି କରିବା ସହ ଟ୍ରାକ୍ଟରକୁ ଜବତ କରାଯାଇଛି । ଡ୍ରାଇଭର ନଗେନ ଏବେ ଫେରାର ଥିବା ଜଣାପଡ଼ିଛି । ଏନେଇ ରତ୍ନାର ବଡ଼ବାପା ସୁଦର୍ଶନ ଭୋଇ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।