ସରକାର ବିଶ୍ୱବିଦ୍ୟାଳୟର ସମ୍ମାନ କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଟା କରୁଛନ୍ତି: ଯୁବ ଓ ଛାକ୍ର କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ-୧୯୮୯କୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଶୁକ୍ରବାର ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ସରକାର ଏହି ସଂଶୋଧନ ପ୍ରସ୍ତାବ ଆଣି ବିଶ୍ୱବିଦ୍ୟାଳୟର ସମ୍ମାନକୁ କ୍ଷୁର୍ଣ୍ଣ କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହା ଆମେ ନିନ୍ଦା କରୁଛୁ ବୋଲି ବରିଷ୍ଠ ଯୁବ କଂଗ୍ରେସ ନେତା ମନୋଜ ବିଶ୍ୱାଳ କହିଛନ୍ତି।

ଆଜି ଉଭୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ସଂଶୋଧନ ନିଷ୍ପତ୍ତି ପ୍ରତ୍ୟାହାର ଦାବି ନେଇ ବାଣୀବିହାର ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ନିୟମାନୁଯାୟୀ କୁଳପତି ପଦବୀ ଏକ ସମ୍ମାନନୀୟ ପଦ। ଏହି ଆଇନର ସଂଶୋଧନ ଆଳରେ ସେହି ପଦର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି। ଜାତୀୟ ଶିକ୍ଷା ନୀତି ଅଟୋନୋମିକୁ ପ୍ରୋତ୍ସାହନ ଦେଉଥିବାବେଳେ ରାଜ୍ୟ ସରକାର ଅଟୋନୋମିକୁ ନଷ୍ଟ କରୁଛନ୍ତି। ଏହାର ସିଧାସଳଖ ପ୍ରଭାବ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଉପରେ ପଡ଼ିବ ଏବଂ ଏହା ଆହୁରି ରସାତଳଗାମୀ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଓଡ଼ିଶା ଲୋକସେବା ଆୟୋଗ ସମ୍ପୂର୍ଣ୍ଣ ସ୍ୱଚ୍ଛ ନୁହେଁ। ଏହାର କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଥିବାବେଳେ ଏହା ମଧ୍ୟ ନିୟମିତ ଭାବେ ଚାକିରୀ ପ୍ରଦାନ କରିନଥାଏ।

ତେଣୁ ବିଶ୍ୱବିଦ୍ୟାଳୟରେ ଏମାନଙ୍କ ହାତରେ ନିଯୁକ୍ତି ପ୍ରକ୍ରିୟା ପ୍ରଦାନ କରିବା ଉଚିତ୍ ଏବଂ ବୁଦ୍ଧିମାନର କାମ ନୁହେଁ। ଓପିଏସ୍ସିଠାରୁ ବିଶ୍ୱବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟା ବହୁ ସ୍ୱଚ୍ଛ ଏକଥା କାହାକୁ ଅଛପା ନାହିଁ। ତେଣୁ ସରକାର ତୁରନ୍ତ ଏହି ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ। ନହେଲେ ଆଗାମୀ ଦିନରେ ଯୁବ ଓ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ସୂଚନାଯୋଗ୍ୟ ଯେ ଛାତ୍ରନେତା ମନୋଜ ବିଶ୍ୱାଳ ଏବଂ କିରଣ କୁମାର ସାହୁଙ୍କ ନେତୃତ୍ୱରେ ବହୁ ଛାତ୍ର ଏହି ପ୍ରତିବାଦରେ ଭାଗ ନେଇଥିଲେ।