୫ ଆତଙ୍କୀ ଗିରଫ, ୪ଟି ଗାଡ଼ି ଜବତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀର ପୁଲିସ ଶୁକ୍ରବାର ଇସଲାମିକ ଷ୍ଟେଟର ୫ଜଣ ଆତଙ୍କୀଙ୍କୁ ଗିରଫ କରିବା ସହ ୪ଟି ଗାଡ଼ି ଜବତ କରିଛନ୍ତି। ଏଥିମଧ୍ୟରୁ ତିନିଜଣ ଆତଙ୍କୀ ଚଳିତବର୍ଷ ମେ’ ୨୦ରେ ଶ୍ରୀନଗର ପାଣ୍ଡଚ ଅଞ୍ଚଳର ସୌରାଠାରେ ହୋଇଥିବା ଆକ୍ରମଣରେ ସାମିଲ୍ ଥିଲେ। ଜବତ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ଗୋଟିଏ ସ୍କୁଟର, ଗୋଟିଏ ବାଇକ୍ ଏବଂ ଏସକେଆଇଏମଏସ ହସ୍ପିଟାଲର ଦୁଇଟି ଘରୋଇ ଆମ୍ବୁଲାନ୍ସ ସାମିଲ ଅଛି। ଏହାଛଡ଼ା ଗିରଫ ଆତଙ୍କବାଦୀମାନେ ଶ୍ରୀନଗର, ହତୀଗମ ଏବଂ ବିଜବେହେରା ଅଞ୍ଚଳରେ ବିଏସଏଫ ଯବାନଙ୍କଠାରୁ ହତିଆର ଲୁଟିବା ଘଟଣାରେ ମଧ୍ୟ ସମ୍ପୃକ୍ତ ଥିଲେ। ଗିରଫ ଆତଙ୍କୀଙ୍କଠାରୁ ଦୁଇଟି ପିସ୍ତଲ ଏବଂ ଗୋଟିଏ ଏକେ-୪୭ ରାଇଫଲ ଜବତ କରାଯାଇଛି।