ଟେକ୍ନୋଲୋଜି ଜରିଆରେ ରାଜ୍ୟ ହସ୍ତତନ୍ତକୁ ବିଶ୍ୱରେ ଉପସ୍ଥାପନ କରିବାକୁ ହେବ

ଅନୁଗୁଳ, ଢେଙ୍କାନାଳ, ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଚାରିକ ଦର୍ଶନକୁ ସଠିକ୍ ଭାବେ ବୁଝିବା ସହ ଏହା ଉପରେ କେବଳ ଚର୍ଚ୍ଚା ଏବଂ ଚିନ୍ତନ କରିବା ପର୍ଯ୍ୟାପ୍ତ ହେବ ନାହିଁ। ଏହା ଦ୍ୱାରା ଜନସାଧାରଣଙ୍କୁ ଆମ ସହ ଏକ ସୂତ୍ରରେ ଯୋଡ଼ି ଏହାକୁ ଜନ ଆନ୍ଦୋଳନର ରୂପ ଦେବାକୁ ହେବ ଏବଂ ମୋଦୀଙ୍କ ବ୍ୟକ୍ତିତ୍ୱର ପ୍ରଶାସନିକ, ରାଜନୈତିକ ଦିଗ ଉପରେ ନୁହେଁ ବରଂ ତାଙ୍କର ଦାର୍ଶନିକ, ବୈଚାରିକ ପ୍ରତିଷ୍ଠାନକୁ ଜନସାଧାରଣଙ୍କ ସହ ବାଣ୍ଟିବାକୁ ପଡ଼ିବ ବୋଲି ‘ସ୍ୱର ନୂଆ ଓଡ଼ିଶା’ ପକ୍ଷରୁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ନେଇ ଆୟୋଜିତ ‘ବୁଦ୍ଧିଜୀବୀ ସମ୍ମିଳନୀ’ରେ ଭିଡିଓ କନ୍ଫରେନ୍ସିଂରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତନ କୌଣସି ଆର୍ôଥକ କିମ୍ବା ସାମାଜିକ ମଡେଲ ନୁହେଁ। ଏହା ସ୍ପଷ୍ଟ ରୂପରେ ମାନବବାଦୀ ଏବଂ ବିଶ୍ୱ ବନ୍ଧୁତ୍ୱର ଦର୍ଶନ ଉପରେ ଆଧାରିତ ଚିନ୍ତନ। ଏଥିରେ କେବଳ ଭାରତକୁ ଆତ୍ମନିର୍ଭର ହେବାରେ ସୀମିତ ରଖିବା ନୁହେଁ ବରଂ ବିଶ୍ୱ କଲ୍ୟାଣର ଦୂରଦୃଷ୍ଟି ରହିଛି। ଭାରତୀୟତାର ଦର୍ଶନକୁ ଅନେକ ମହାପୁରୁଷମାନେ ସେମାନଙ୍କ ବିଚାରଧାରାରେ ପ୍ରତିପାଦିତ କରିଛନ୍ତି। ଛତ୍ରପତି ଶିବାଜୀ,ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ମହର୍ଷି ଅରବିନ୍ଦ, ସୁଭାଷ ଚନ୍ଦ୍ର ବୋଷ, ଡା. ହେଡଗେୱାର, ଶ୍ୟାମାପ୍ରସାଦ ମୁଖାର୍ଜୀ, ପରମ ପୂଜନୀୟ ଶ୍ରୀ ଗୁରୁଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦର୍ଶନରେ ଏହି ଏକାତ୍ମ ରୂପର ଦର୍ଶନ ମିଳେ । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ଭାରତୀୟତାର ମୂଳ ବିଚାର ଓ ଅଧିଷ୍ଠାନର ଆଧାରରେ ହୋଇଥାଏ ।

ସମାଜ, ରାଜନୀତି, ଧର୍ମ ଅଥବା ମାନବ ଜୀବନରେ କୌଣସି ବିଷୟରେ ତାଙ୍କ ମତର କେନ୍ଦ୍ରବିନ୍ଦୁ ଥାଏ; ଆମ ଭାରତୀୟତାର ମୂଳ ବିଚାର। ୫ ଅଗଷ୍ଟରେ ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନା ଅବସରରେ ମୋଦିଙ୍କ ଭାଷଣ ଏବଂ ଚଳିତବର୍ଷର ଲାଲକିଲ୍ଲାରେ ୧୫ ଅଗଷ୍ଟର ଭାଷଣ ସାମାଜିକ ଅଥବା ରାଜନୈତିକ ଭାଷଣ ନଥିଲା ବରଂ ଆମର ଚିରନ୍ତନ ସଭ୍ୟତା ଏବଂ ଆଜିର ଆବଶ୍ୟକତାକୁ ଆଧାର କରି ଆଗାମୀ ଭବିଷ୍ୟତର ପ୍ରଗତି ପାଇଁ ଭାରତୀୟ ମୂଳ ବିଚାରରେ ଯୋଡ଼ିହେବାର ଅନନ୍ୟ ଦୃଷ୍ଟିଭଙ୍ଗୀ ଥିଲା । ପ୍ରଧାନମନ୍ତ୍ରୀ ନିଜର ବୈଚାରିକ ଦର୍ଶନରେ ବିବିଧ ସଂସ୍କୃତିର ଅସ୍ତିତ୍ୱ ରଖି ସଭ୍ୟତା ମଧ୍ୟରେ ପରସ୍ପର ସମ୍ବାଦର ସୂତ୍ର ଦୁନିଆକୁ ଦେଉଛନ୍ତି। ଏହା ଅନାଦି ଅନନ୍ତ କାଳରୁ ଚାଲି ଆସିଥିବା ସତ୍ୟ ସନାତନ ଭାରତୀୟ ସଂସ୍କୃତିର ଅବିରଳ ଶାଶ୍ୱତ ପ୍ରବାହ ଅଟେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦର୍ଶନ ସେହି ଜୀବନଶୈଳୀକୁ ପ୍ରତିପାଦିତ କରୁଛି, ଯେଉଁଠି ସବୁ ବ୍ୟକ୍ତିଙ୍କୁ ମୂଳ ମୌଳିକ ଅଧିକାର ପ୍ରାପ୍ତ ହେବ।

କଳିଙ୍ଗ ଯୁଦ୍ଧ ସମୟରେ ସମ୍ରାଟ୍ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଓଡ଼ିଆ ଜାତିର ଅଦମ୍ୟ ସାହସ ଓ ପରାକାଷ୍ଠା କାରଣରୁ ଏହା ସମ୍ଭବ ହୋଇପାରିଥିଲା । ଏବେ ମଧ୍ୟ ଓଡ଼ିଆ ଜାତି ଓ ସମାଜର ଶକ୍ତି ଓ ସାହସ ପୂର୍ବଭଳି ରହିଛି । ଜଣେ ସାଧାରଣ ଘରର ପିଲା ଠାରୁ ଆରମ୍ଭ କରି ପରିବାର, ଜାତି, ସମାଜ ତଥା ଦେଶକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ‘ଲୋକାଲ୍ ପାଇଁ ଭୋକାଲ’ ହେବାକୁ ଆହ୍ୱାନ କରିଛନ୍ତି। ଏହି କ୍ରମରେ ରାଜ୍ୟର ହସ୍ତତନ୍ତ, ବୟନଶିଳ୍ପ ତଥା ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ଟେକ୍ନୋଲୋଜି ଜରିଆରେ ବିଶ୍ୱ ଆଗରେ ଉପସ୍ଥାପନ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।