ଝାରସୁଗୁଡା,ଏନ୍ଏନ୍ଏସ୍: କଳ୍ପନା ଦାସ ଓ ବବଲି ଦାସ ହତ୍ୟାକାଣ୍ଡର ନିରପେକ୍ଷ ଭାବରେ ଛତିଶଗଡ ପୁଲିସ ତଦନ୍ତ କରୁ ନଥିବା ଅନୁପଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଅନୁପ ନିର୍ଦ୍ଦେଶ ହୋଇଥିଲେ ହେଁ ଏହି ହତ୍ୟାକାଣ୍ଡରେ ତାଙ୍କୁ ଫସାଇ ଦିଆଯାଇଛି। ଏହାସହ ପୁଲିସ ତାଙ୍କୁ ଧମକ ଚମକ ଦେବା ସହ ମାନସିକ ଚାପ ପ୍ରୟୋଗ କରି ଦୋଷ ସ୍ୱିକାର କରିବା ପାଇଁ ବାଧ୍ୟ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଏହି ହତ୍ୟାକାଣ୍ଡର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଅନୁପଙ୍କ ପରିବାରବର୍ଗ ଦାବି କରିଛନ୍ତି।
ଶନିବାର ସଂଧ୍ୟାରୁ ଅନୁପଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶ୍ରୟ ନେଇଥିଲେ। ସେମାନେ ରାତିସାରା ସେଠାରେ ବସି ରହିବା ପରେ ରବିବାର ସଂଧ୍ୟାରେ ଜିଲ୍ଲାପାଳ ସରୋଜ କୁମାର ସାମିଲ ବୁଝାଇବା ପରେ ସେମାନେ ଘରକୁ ଫେରିଛନ୍ତି। ଜିଲ୍ଲାପାଳ ଶ୍ରୀ ସାମଲ ସେମାନଙ୍କୁ କହିଛନ୍ତି ଛତିଶଗଡ ପୁଲିସ ଏକ ହତ୍ୟାକାଣ୍ଡର ତଦନ୍ତ କରୁଛି। ଏବଂ ଏଥିରେ ରଜ୍ୟ ସରକାର ବା ଜିଲ୍ଲ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରିହେବ ନାହିଁ।
ହଲେ ରାତି ଅଧରେ ଛତିଶଗଡ ପୁଲିସ ଅନୁପଙ୍କ ପରିବାରବର୍ଗଙ୍କୁ ହଇରାଣ କରୁଥିବା ଅଭିଯୋଗକୁ ଓଡିଶା ସରକାରଙ୍କ ଘରୋଇ ବିଭାଗକୁ ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେେଇଛନ୍ତି। ଏହାସହ ସେ କହିଛନ୍ତି ଯଦି ଅନୁପଙ୍କ ପରିବାରବର୍ଗ ପୁଲିସ ତଦନ୍ତରେ ଅଖୁସି ଅଛନ୍ତି ତେବେ ନ୍ୟାୟାଳୟରେ ଆବେଦନ କରିପାରିବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏ ସମ୍ପର୍କୀୟ ଧାରଣା ପଇଁ ଉଚିତ ସ୍ଥାନ ନୁହେଁ। ଜିଲ୍ଲାପଳଙ୍କ ସହ ଆଲୋଚନା ପରେ ଅନୁପଙ୍କ ପରିବାର ଧାରଣାରୁ ଓହରିଛନ୍ତି।
ଶନିବାର ସଂଧ୍ୟାରୁ ଅନୁପଙ୍କ ମା ହେମଲତା ସାଏ, ବଡ ଭାଇ ପ୍ରମୋଦ ସାଏ, ଭାଉଜ ଗୀତାଂଜଳି ସାଏ, ସ୍ତ୍ରୀ ସୁଷମା ଦେ, ପୁଅ ଶୁଭମ ସାଏ, ଝିଅ ଶୁଭ୍ରସ୍ମିତା ସାଏ ଓ ପୁତୁରା ସଂଗ୍ରାମ ସାଏ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ବସିଥିଲେ। ଏବଂ ସେମାନେ ଧାରଣାରେ ବସି ନାହାନ୍ତି ବଂର ନିଜର ଜୀବନ ସୁରକ୍ଷା ପାଇଁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିବା କହିଥିଲେ। ସେମାନେ ଆହୁରି ମଧ୍ୟ କହିଥିଲେ ଛତିଶଗଡ ପୁଲିସ ଅନୁପ ସାଏଙ୍କୁ ମାନସିକ ଚାପ ପକାଉଛି। ଏହାସହ ବଘରାଚକାସ୍ଥିତ ତାଙ୍କ ବାସ ଭବନକୁ ଆସି ପରିବାରବର୍ଗଙ୍କୁ ଡରାଇବା ସହ ଥାନାରେ ହାଜିର ହେବା ପାଇଁ ନୋଟିସ ଦେଉଛି। ଏହାସହ ଛତିଶଗଡ ପୁଲିସ ତଦନ୍ତ ସମୟରେ ଅନୁପଙ୍କ ଉପରେ ମାନସିକ ଚାପ ପକାଇ କଳ୍ପନା ଓ ବବଲିଙ୍କୁ ସେ ହତ୍ୟା କରିଥିବା ସ୍ୱୀକାର କରିବା ପାଇଁ କହୁଛି।
ଯଦି ସେ ହତ୍ୟା କରି ଥିବା ସ୍ୱୀକାର ନ କରିବେ ତେବେ ପୁଲିସ ତାଙ୍କ ପରିବାର ବର୍ଗଙ୍କୁ ଗିରଫ କରାଯିବ ବୋଲି ଭୟଭୀତ କରୁ ଥିବା ସେମାନେ ଅଭିଯୋଗ କରିଛନ୍ତି। ଛତିଶଗଡ ପୁଲିସ ଅନୁପ ଓ ତାଙ୍କ ପରିବାର ପ୍ରତି କରୁଥିବା ଏହି ଅତ୍ୟାଚାରୁ ସୁରକ୍ଷିତ ରହିବା ପାଇଁ ସେମାନେ ଜିଲ୍ଲାପଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିବା କହଥିଲେ। ସେମାନେ ଆହୁରି ମଧ୍ୟ କହିଥିଲେ ଛତିଶଡ ପୁଲିସର ବାରମ୍ବାର ଘରେ ଚଢାଉ କରିବାରୁ ଆମେ ଘରେ ସୁରକ୍ଷିତ ନୋହୁଁ ତେଣୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସି ରହିବୁ।
ଅନ୍ୟପଟେ ହତ୍ୟାକାଣ୍ଡର ସମସ୍ତ ସାକ୍ଷ ପ୍ରମାଣ ଏକଜୁଟ କରିବା ପାଇଁ ଛତିଶଗ ପୁଲିସ ତଦନ୍ତ ଜାରି ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଖୋଜିବାପାଇଁ ପୁଲିସର ଏକ ଟିମ ଗୁଜୁରାଟ ଯାଇଥିଲେ ହେଁ ତାହା ଏପର୍ଯ୍ୟନ୍ତ ମିଳି ନାହି ବୋଲି ରାୟଗଡ ଏଏସପି ଅଭିଷେକ ବର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ହତ୍ୟାକଣ୍ଡର ସନ୍ଦେହ ଘେରରେ ଥିବା ସମସ୍ତଙ୍କୁ ଥାନାକୁ ଆସି ତଦନ୍ତରେ ସହଯୋଗ କରିବହା ପାଇଁ ନୋଟିସ ଦିଆଯାଇଛି। ସେହିପରି ସରକାରୀ ଓକିଲ ଦେବ ପ୍ରକାଶ ପଟେଲ କହିଛନ୍ତି ଅନୁପଙ୍କ ନାର୍କେଟେଷ୍ଟ, ବ୍ରେନ ମେପିଙ୍ଗ ଓ ଆହୁରି ୩ ଦିନିଆ ପୁଲିସ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯାଇଛି। ଏହାର ଶୁଣାଣି ମଙ୍ଗଳାବର ହେବ ବୋଲି ସେ ସୂଚନା ଦେଇଛନ୍ତି।