ଦେବଗଡ଼ ଜିଲ୍ଲା କୃଷକ ସଙ୍ଘ ଟୁହିଲାମାଳଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତର ଚାଷୀଙ୍କୁ ଗତ ଖରିଫ ଋତୁର ଫସଲ ବୀମା ପ୍ରଦାନ କରାଯାଇ ନଥିବାରୁ ଜିଲ୍ଲା କୃଷକ ସଙ୍ଘ ଟୁହିଲାମାଳ ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଛି।

ସୂଚନା ଅନୁଯାୟୀ ଗତ ଖରିଫ ଋତୁରେ ଟୁହିଲାମାଳ ପଞ୍ଚାୟତର ଯେଉଁ ଚାଷୀମାନେ ସେବା ସମବାୟ ସମିତିରେ ନିଜ ଫସଲ ବୀମା କରିଥିଲେ ସେମାନେ ବୀମା ରାଶି ପାଇନାହାନ୍ତି। ବରଂ ଯୋଉଁ ଚାଷୀମାନେ ସେବା ସମବାୟ ସମିତି ବଦଳରେ ଅନ୍ୟତ୍ର ନିଜ ଫସଲ ବୀମା କରିଥିଲେ ସେମାନେ ବୀମା ରାଶି ପାଇସାରିଲେଣି। ଏନେଇ ବୀମା ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିିଁ।

ସେବାସମବାୟ ପକ୍ଷରୁ ପ୍ରକାଶିତ ତାଲିକାରେ ଟୁହିଲାମାଳ ପଞ୍ଚାୟତକୁ ବାଦ ଦିଆଯାଇଥିବା ଜଣାପଡିବା ପରେ ଉପରୋକ୍ତ ପଞ୍ଚାୟତର ଚାଷୀମାନେ ମର୍ମାହତ ହେବା ସହ ଏହାର ପ୍ରତିବାଦରେ ଆଜି ପୂର୍ବାହ୍ଣରେ ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କର ଓ ସମ୍ପାଦକ ଯଜାତି କେଶରୀ ବିଶ୍ୱାଳଙ୍କ ନେତୃତ୍ୱରେ ଚାଷୀ ଦୁଷ୍ମନ୍ତ ବିଶି, ଲମ୍ବୋଦର ପ୍ରଧାନ, ବିନୋଦ ବିହାରୀ ପ୍ରଧାନ, ଧରଣୀଧର ପ୍ରଧାନଙ୍କ ସମେତ ବହୁ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏକ ସପ୍ତାହ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରା ନଗଲେ ସଙ୍ଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଲିଖିତ ଚେତାବନୀ ଦେଇଛନ୍ତି। ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରୁଛନ୍ତି।