‘ରାଧେଶ୍ୟାମ’ର ସୁଟିଂ ପାଇଁ ଇଟାଲିରେ ପ୍ରଭାସ ଓ ପୂଜା

ଆଗାମୀ ଚଳଚ୍ଚିତ୍ର ‘ରାଧେଶ୍ୟାମ’ର ସୁଟିଂ ପାଇଁ ପ୍ରଭାସ ଓ ପୂଜା ଇଟାଲି ଯାଇଛନ୍ତି। କିଛି ମାସ ତଳେ ସେଠାରେ କରୋନା ମହାମାରୀର ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ବାହାରେ ଥିଲା। ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିଥିବାରୁ ପ୍ରଯୋଜକ ମହଲ ସେଠାରେ ସୁଟିଂ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାସ, ପୂଜା ହେଗଡ଼େ ୧୯ଜଣିଆ ଟିମ୍ ସହ ଇଟାଲି ଯାଇଛନ୍ତି। ହୋଟେଲ ପରିବର୍ତ୍ତେ ସେମାନେ ଇଟାଲିର ପଶ୍ଚିମାଞ୍ଚଳରେ ଥବା ଫାର୍ମ ହାଉସ୍‌ରେ ରହୁଥିବାର ଜଣାପଡ଼ିଛି। ପୂଜା ସୋସିଆଲ୍ ସାଇଟ‌ରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଥମ ଦୁଇଦିନ ଇଟାଲିରେ ପୂରା ଟିମ‌କୁ ଅସ୍ତବ୍ୟସ୍ତ ସହ ଭୟ ଲାଗିଥିଲା। ଏବେ କିନ୍ତୁ ସେମାନେ ନିର୍ଭୀକ ରହିବା ସହ ଯଥା ଶୀଘ୍ର ସୁଟିଂ ଶେ​‌ଷ କରିବାକୁ ଉଦ୍ୟମ ଚଳାଇଛନ୍ତି।

ପ୍ରଭାସ ମଧ୍ୟ ତାଙ୍କର ଅନ୍ୟ ବଡ଼ ପ୍ରୋଜେକ୍ଟ ‘ଆଦିପୁରୁଷ’ ପାଇଁ ଯଥା ଶୀଘ୍ର ଭାରତକୁ ଫେରିବେ। ଇଟାଲି ଯିବା ପୂର୍ବରୁ ପ୍ରଭାସ ସାକ୍ଷାତକାରରେ କହିଥିଲେ, ଇଟାଲି କଥା ଶୁଣି ତାଙ୍କ ମା’ ସବୁଠୁ ଅଧିକ ବ୍ୟସ୍ତ ହୋଇଥିଲେ। କାନ୍ଦକାନ୍ଦ ହୋଇ ପୁଅକୁ କହିଥିଲେ ସୁଟିଂ ବାତିଲ କରିଦେବା ପାଇଁ। ଏହା ସମ୍ଭବ ନ ଥିବାରୁ ମା’ଙ୍କୁ ବୁଝାଇସୁଝାଇ ପ୍ରଭାସ ଇଟାଲି ଆସିଥିବା କହିଛନ୍ତି। ଆସନ୍ତା ବର୍ଷ ଦଶହରାରେ ‘ରାଧେଶ୍ୟାମ’ ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଯୋଜନା ରହିଛି।