ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ପୌର ପରିଷଦ ପକ୍ଷରୁ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ନିୟମିତ ଦରମା ଓ ବଡ଼ାଖାନା ମିଳିବାରେ ବିଳମ୍ବ ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଜଣାପଡ଼ିଛି । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ସହରରେ ପରିମଳ ସେବା ପ୍ରଭାବିତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡ଼ିଥିବା କାରଣରୁ ପରିବେଶ ମଧ୍ୟ ପ୍ରଭାବିତ ହୋଇଛି । ସଫେଇ କର୍ମଚାରୀଙ୍କ ବିଭିନ୍ନ ଦାବୀକୁ ସମର୍ଥନ କରି କାଉନସିଲର ତଥା ସଫେଇ କର୍ମଚାରୀ ସଂଘ ସଭାପତି ଧର୍ମେନ୍ଦ୍ର କୁମାର ଦେବତା ଆନ୍ଦୋଳନରେ ସାମିଲ ହୋଇ ଦାବୀ ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ । ମାତ୍ର କିଛି ସମୟ ପରେ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି ।