ମୋବାଇଲ ଦୋକାନରୁ ଚୋରି କରି ୪ ନାବାଳକ ଗିରଫ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ମୋବାଇଲ ଦୋକାନରୁ ଚୋରି କରି ଡାବୁଗାଁ ପୁଲିସ ହାତରେ ୪ ନାବାଳକ ଧରା ପଡ଼ିଛନ୍ତି । ଏନେଇ ପ୍ରେସମିଟରେ ଏସପି ଏସ ସୁଶ୍ରୀ ସୂଚନା ଦେଇଛନ୍ତି । ଗତ ୭ ତାରିଖ ରାତିରେ ଛାତିଗୁଡ଼ାର ଅଭୟ ଦତ୍ତଙ୍କ ମୋବାଇଲ ଦୋକାନର ସଟର ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ମୋବାଇଲ ସାମଗ୍ରୀ ଚୋରି କରି ନେଇଥିବା ନେଇ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୁଲିସ ଏହି ଅଭିଯୋଗକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଚୋରିର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏହି ସିସିଟିଭି ଫୁଟେଜ ଆଧାରରେ ୨୪ ଘଣ୍ଟା ଭିତରେ ପୁଲିସ ୪ ନାବାଳକଙ୍କ ପାଖରେ ପହଞ୍ଚି ିପାରିଥିଲା । ସମସ୍ତ ୪ ଅଭିଯୁକ୍ତ ନାବାଳକଙ୍କଠାରୁ ନଗଦ ୧୫ ହଜାର ୨୦୦ ଟଙ୍କା, ୧୨ ଟି ନୂଆ, ୮ ଟି ପୁରୁଣା ମୋବାଇଲ, ଗୋଟିଏ ଲାମିନେସନ ମେସିନ, ଗୋଟିଏ ମୋନିଟର, ପାୱାର ବ୍ୟାଙ୍କ, ମୋବାଇଲ ଚାର୍ଜର, ଇଅର ଫୋନ ବ୍ଲୁଟୁଥ ସହ ବିଭିନ୍ନ ମୋବାଇଲ ସାମଗ୍ରୀ ମଧ୍ୟ ଜବତ କରିଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସମସ୍ତଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ଏସପି କହିଛନ୍ତି ।