କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାର ଜଜାଙ୍ଗ ଲୌହ ଓ ମାଙ୍ଗାନିଜ ଖଣିରେ ସ୍ଥାନୀୟ ଲୋକଙ୍କୁ ଅବହେଳା ଘଟଣାରେ ବୁଧବାର ସକାଳେ ସ୍ଥାନୀୟ ଲୋକମାନେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖଣି ପ୍ରଭାବିତ ନାଗରିକ ଓ ପରିବେଶ ସୁରକ୍ଷା ମଞ୍ଚର ବିକ୍ଷୋଭରେ ଜଜାଙ୍ଗ, କମଳପୁର, ବନ୍ଧୁଆକଡ଼ା, ଗୁରୁତୁଆଁ, ଭୋଳବେଡା, ଜାର୍ମତା, ଲହୁଣିପସି ପ୍ରଭୃତି ଅଞ୍ଚଳର ଲୋକ ସାମିଲ ହୋଇଛନ୍ତି।
ଏହି ବିକ୍ଷୋଭ ସମୟରେ ଖଣିରେ ଥିବା ଦୁଇଟି ରେଳ ସାଇଡିଂର ବୋଝେଇ ଓ ସମତୁଲ କାର୍ଯ୍ୟ ଲାଇସେନ୍ସ ପ୍ରାପ୍ତ ଗ୍ରାମବାସୀଙ୍କ ସଂସ୍ଥାକୁ ପ୍ରଦାନ କରିବା, ଖଣି ଭିତରେ ଓ ବାହାରେ ରେଳ ସାଇଡିଂକୁ ଖଣିଜ ପରିବହନ ଲାଇସେନ୍ସ ପାଇଥିବା ଗ୍ରାମବାସୀଙ୍କ ସଂସ୍ଥା ଦ୍ୱାରା ପରିଚାଳିତ କାରିବା, ଖଣିରେ ଖଣିଜ ଉତ୍ତୋଳନ ଓ କ୍ରସର ପ୍ଲାଣ୍ଟ ପରିଚାଳନା କାର୍ଯ୍ୟ ଗ୍ରାମବାସୀଙ୍କୁ ଦେବା, ଖଣିର ବାହାର ଜିଲ୍ଲା ଓ ଅନ୍ୟ ରାଜ୍ୟକୁ ଖଣିଜ ପରିବହନ କାର୍ଯ୍ୟରେ ଗ୍ରାମବାସୀଙ୍କ ସଂସ୍ଥାକୁ ଅଗ୍ରାଧିକାର ଦେବା, ଖଣିରେ ପୂର୍ବରୁ କାମ କରୁଥିବା ସମସ୍ତ କର୍ମଚାରୀ ଓ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ସହ ଖଣି ଅଞ୍ଚଳରେ ଥିବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ଏବଂ ଖଣିରେ ସିଭିଲ ଠିକାଦାର ଭାବେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେବା ପ୍ରଭୃତି ଦାବି ରଖିଛନ୍ତି। ପରେ ଏ ସମ୍ପର୍କିତ ଏକ ଦାବିପତ୍ର ଉକ୍ତ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।