ଗାନ୍ଧୀ ପରିବାର ପରିଚାଳିତ ଟ୍ରଷ୍ଟର ତଦନ୍ତ ପାଇଁ ଗଠନ ହେଲା ଅନ୍ତଃ-ମନ୍ତ୍ରାଳୟ ସ୍ତରୀୟ କମିଟି

ନୂଆଦିଲ୍ଲୀ,ଏଜେନ୍ସି: ରାଜୀବ ଗାନ୍ଧୀ ଫାଉଣ୍ଡେସନ୍, ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ ଏବଂ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ‌ ବିରୋଧରେ ଆୟକର ଓ ବିଦେଶୀ ପାଣ୍ଠି ସଂଗ୍ରହରେ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ଗାନ୍ଧୀ ପରିବାର ପରିଚାଳିତ ଏହି ୩ଟି ଟ୍ରଷ୍ଟର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ଅନ୍ତଃ-ମନ୍ତ୍ରାଳୟ ସ୍ତରୀୟ କମିଟି ଗଠନ କରିଛି। ଗୃହମନ୍ତ୍ରାଳୟ ମୁଖପାତ୍ରଙ୍କ ସୂଚନା ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ନେତୃତ୍ୱ ନେବେ। ସିବିଆଇ ମଧ୍ୟ ଏହି କମିଟିରେ ଅଂଶ ଗ୍ରହଣ କରିବ।

୧୯୯୧ ମସିହାରେ ଗଠିତ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଟ୍ରଷ୍ଟିମାନେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପି ଚିଦମ୍ବରମ୍। ସେହିପରି ସୋନିଆ ଗାନ୍ଧୀ ହେଉଛନ୍ତି ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ଏବଂ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା।