ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ର ସରକାରଙ୍କ ସରକାରୀ ଉଦ୍ୟୋଗ ଘରୋଇକରଣ ଉଦ୍ୟମ, ଶ୍ରମିକ, କୃଷକ ଓ କର୍ମଚାରୀ ବିରୋଧୀ ନୀତିକୁ ବିରୋଧ କରି ଏହି ଧାରଣା ଦିଆଯାଇଛି। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର ନାଏକ କହିଛନ୍ତି ଯେ, କରୋନା କାଳରେ ସାଧାରଣ ଲୋକେ ଅତି ଦୟନୀୟ ପରିସ୍ଥିତିରେ କାଳାତିପାତ କରୁଥିବାବେଳେ ରାଜ୍ୟ ସରକାର ବିଦ୍ୟୁତ ତାରିଫ୍ ଛାଡ ନ କରି ୟୁନିଟ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି।

ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଘରୋଇ କରଣ କଲାବେଳେ ଶ୍ରମିକ କର୍ମଚାରୀଙ୍କ ସ୍ଥାୟିତ୍ୱ, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ନିରାପତ୍ତା, ମଜୁରୀ, ବୋନସ ସମ୍ପର୍କରେ କୌଣସି ସର୍ତ୍ତ ନରଖିବା, କରୋନା କାଳରେ କାର୍ଯ୍ୟ କରି ସଂକ୍ରମିତ ହେବାସହ ମୃତ୍ୟୁ ବରଣ କରୁଥିବା ବିଦ୍ୟୁତ ଶ୍ରମିକଙ୍କ ପରିବାରବର୍ଗଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷିତ କ୍ଷତିପୂରଣ, ଆଇଟିଆଇ ପ୍ରଶିକ୍ଷଣ କର୍ମଚାରୀ ଓ ଦୀର୍ଘଦିନ ଧରି ଏନଏମଆର ଠିକା ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି ନ କରିବା ସହ ସ୍ଥାୟୀ ଚାକିରି ପ୍ରଦାନ କରୁ ନାହାନ୍ତି। ସେହିପରି କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ୪ଟି ଲେବର କୋର୍ଡ ପାସ କରି ଶ୍ରମିକମାନଙ୍କୁ ଶୋଷଣ କରୁଛନ୍ତି।

ଏହାସହ ନୂତନ କୃଷି ଆଇନ ତଥା କଣ୍ଟ୍ରାକ୍ଟ ଫାର୍ମିଂକୁ ପ୍ରେତ୍ସାହନ ଦେଇ ଚାଷୀଙ୍କୁ ଶୋଷଣ କରିବାକୁ ପ୍ରୟାସ କରିଛନ୍ତି। ସରକାରଙ୍କ ଏହି ସମସ୍ତ ନୀତି ବିରୋଧରେ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆସନ୍ତା ୫ ତାରିଖ ଯାଏଁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର ନାଏକ କହିଛନ୍ତି।