ଡିଜିଟାଲ୍ ଋଣଦାତାଙ୍କ ପାଇଁ କଡା ହେବ ନିୟମ, ଗଠନ ହେବ ନୋଡାଲ୍ ଏଜେନ୍ସି

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବିବାଦୀୟ ହୋଇ ଆସିଥିବା ଡିଜିଟାଲ୍ ଲେଣ୍ଡିଂ ଆପ୍‌ସକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ) ଗତ ଜାନୁଆରୀରେ ଗ୍ରାହକମାନଙ୍କୁ ସାବ୍‌ଧାନ ରହିବାକୁ ପରାମର୍ଶ ଦେଇଥିଲା। ଦେଶରେ କାମ କରୁଥିବା ବିଭିନ୍ନ ଋଣପ୍ରଦାନକାରୀ ଆପ୍‌ସଗୁଡ଼ିକ ଅବୈଧ ଉପାୟ ଅବଲମ୍ବନ କରୁଛନ୍ତି ବୋଲି କହିଛି ଆର୍‌ବିଆଇ। ଏହି ପରିପ୍ରେକ୍ଷୀରେ ଗତ ଜାନୁଆରୀରେ ଆର୍‌ବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲା।

ଡିଜିଟାଲ୍ ଲେଣ୍ଡିଂ ଆପ୍ଲିକେସନ୍‌ଗୁଡ଼ିକର ଭେରିଫିକେସନ୍ ଏକ ନୋଡାଲ୍ ଏଜେନ୍ସି ଦ୍ୱାରା କରାଯିବା ନେଇ ଏହି କମିଟି ସୁପାରସ୍ କରିଛି। ଉଦ୍ୟୋଗଜଗତର ସମସ୍ତ ଅଂଶୀଦାରଙ୍କ ସହିତ ପରାମର୍ଶ କରି ଏହା କାର୍ଯ୍ୟକାରୀ କରାଯାଇପାରେ ବୋଲି କମିଟି ପରାମର୍ଶ ଦେଇଛି।

ସୂଚନାଯୋଗ୍ୟ ଯେ ଏ କ୍ଷେତ୍ରରେ ଏକ ବଡ଼ଧରଣର ରାକେଟ କାମ କରୁଛି। ଯାହା ଚୀନ୍‌, ଇଣ୍ଡୋନେସିଆ ଆଦି ଦେଶର ନାଗରିକ ସାମିଲ୍ ଅଛନ୍ତି। ଋଣ ପ୍ରଦାନ କରିବାର ଅଧିକାର ନଥିବା ସତ୍ତ୍ୱେ ଏମାନେ ଗୋଟିଏ ମିନିଟ୍‌ରେ ଋଣ ଦେବା ନେଇ ଲୋଭନୀୟ ଅଫର୍ ଦେଇଥାଆନ୍ତି। ଅପରପକ୍ଷରେ କମିଟି କେନ୍ଦ୍ର ସରକାରଙ୍କୁ ଏ ନେଇ ବିଧେୟକ ଆଣିବା ପାଇଁ ପରାମର୍ଶ ଦେଇଛି। ଆର୍‌ବିଆଇ ଦ୍ୱାରା ଗଠିତ ୱାର୍କିଂ କମିଟି କହିଛି ଯେ ଭାରତରେ କାରବାର କରୁଥିବା ୧୧୦୦ କମ୍ପାନୀ ମଧ୍ୟରୁ ପାଖାପାଖି ୬୦୦ କମ୍ପାନୀ ନକଲି ଓ ଅବୈଧ ଉପାୟରେ କାମ କରୁଛନ୍ତି।