ସିବିଏସ୍‌ଇ ଟର୍ମ-୧ ଅନ୍‌ଲାଇନ ପରୀକ୍ଷା ଦାବି, ସୁପ୍ରିମକୋର୍ଟରେ ପିଟିସନ ଖାରଜ

ନୂଆଦିଲ୍ଲୀ,ଏଜେନ୍ସି: ସିବିଏସ୍‌ଇ (ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ) ଓ ସିଆଇଏସ୍‌ସିଇ (କାଉନସିଲ ଫର୍ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେସନ) ପକ୍ଷରୁ ଆୟୋଜିତ ଟର୍ମ-୧ ପରୀକ୍ଷା ପଦ୍ଧତିକୁ ପରିବର୍ତ୍ତନ କରିବାକୁ ଯେଉଁ ପିଟିସନ ଦାଏର କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି।

ବର୍ତ୍ତମାନ ସିବିଏସ୍‌ଇ ଟର୍ମ-୧ ପରୀକ୍ଷା ଆରମ୍ଭ ହୋଇସାରିଥିବାବେଳେ ଆସନ୍ତା ସପ୍ତାହରୁ ସିଆଇଏସ୍‌ସିଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହି ପରୀକ୍ଷା ଅଫଲାଇନରେ ଅନୁଷ୍ଠିତ ହେଉଥିବାବେଳେ ଏଗୁଡିକ ହାଇବ୍ରିଡ୍ ମୋଡ୍ (ଉଭୟ ଅଫ୍‌ଲାଇନ ଓ ଅନ୍‌ଲାଇନ)ରେ ଆୟୋଜନ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ଜଷ୍ଟିସ ଏ.ଏମ.ଖାନ୍‌ୱିଲକର ଓ ଜଷ୍ଟିସ ସି.ଟି.ରବିକୁମାରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି ଯେ ଟର୍ମ-୧ ପରୀକ୍ଷା ଆରମ୍ଭ ହୋଇସାରିଥିବାରୁ ଶେଷ ମୁହୂର୍ତ୍ତରେ ଅନ୍‌ଲାଇନ ଦାବି ଗ୍ରହଣୀୟ ନୁହେଁ।

ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଭାବିଚିନ୍ତି ପରୀକ୍ଷା ପଦ୍ଧତି ଧାର୍ଯ୍ୟ କରିଥିବାରୁ ଏଥିରେ ବ୍ୟତିକ୍ରମ ଘଟାଇବା ଅଯୁକ୍ତିକର ବୋଲି ଖଣ୍ଡପୀଠ କହିଛନ୍ତି। ଅବଶ୍ୟ ଅଫ୍‌ଲାଇନ ପରୀକ୍ଷା ଆୟୋଜନ ସମୟରେ ସ୍କୁଲ କର୍ତ୍ତୃପକ୍ଷ ଯଦି କୋଭିଡ୍ ନିୟମାବଳୀ ଉଲ୍ଲଂଘନ କରୁଥାନ୍ତି, ତେବେ ଏହାକୁ ତୁରନ୍ତ ସଂଶୋଧନ କରାଯିବା ଜରୁରୀ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।