ଚାଲାଣଗୁଡ଼ା ପୁଲିସ ଯାଞ୍ଚ ଫାଟକରେ ଇନଭେଟର ଓ ଷ୍ଟ୍ରିଟ ଲାଇଟ ଲଗାଇଲେ ସମାଜସେବୀ ବିନୋଦ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସଦର ବ୍ଲକର ଚାଲାଣଗୁଡ଼ା ଓ ତଣ୍ଡିକି ପଂଚାୟତ ସୀମାକୁ ଛତିଶଗଡ଼ର ସୁକୁମା ଜିଲ୍ଲା ଲାଗି ରହିଛି। ମାଲକାନଗିରି ଜିଲ୍ଲାର କୋୟା ଆଦିବାସୀ ଓ ବଙ୍ଗୀୟ ସମ୍ପ୍ରଦାୟର ଲୋକଙ୍କ ସମ୍ପର୍କୀୟମାନେ ପୋଡ଼ଶୀ ଛତିଶଗଡ଼ରେ ରହିଛନ୍ତି। କରୋନା କଟକଣା ଯୋଗୁ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଏହି ୨ଟି ପଞ୍ଚାୟତ ଦେଇ ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ଲୁଚିଛପି ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲାଣଗୁଡ଼ଠାରେ ଏକ ଯାଞ୍ଚ ଫାଟକ କରାଯାଇଛି। ଏଠାରେ ଦିବାରାତ୍ର ପୁଲିସ କର୍ମଚାରୀଙ୍କ ସହ ବିଭିନ୍ନ ବିଭାଗର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଏଠାରେ ବିଶେଷ ଆଲୋକର ବ୍ୟବସ୍ଥା ନଥିବାରୁ ଏହି ଯାଞ୍ଚ ଫାଟକରେ ବିଦ୍ୟୁତ ଚାଲିଗଲେ ଡ୍ୟୁଟିରେ ଥିବା କର୍ମଚାରୀମାନେ ଅନ୍ଧାର ଓ ଅସହ୍ୟ ଗରମରେ ବହୁ ସମସ୍ୟା ମଧ୍ୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ଏହା ଜାଣିବା ପରେ ମାଲକାନଗିରି ସହରର ଯୁବ ସମାଜସେବୀ ବିନୋଦ ଟାୱାରୀ ସେଠାରେ ଉଚ୍ଚ ଆଲୋକ ସମ୍ପନ୍ନ ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା କରିବା ସହ ଏକ ଇନଭେଟର ଯୋଗାଇ ଦେଇଛନ୍ତି। ଫଳରେ ପୁଲିସ କର୍ମଚାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ରାତିରେ ସୁବିଧାରେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।