ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: କଡ଼ା ସୁରକ୍ଷା ବଳୟରେ ଥିବା ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପ ବିଭାଗ କକ୍ଷ ଏବଂ ଡେପୁଟି କଲେକ୍ଟରଙ୍କ କକ୍ଷରୁ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୪ କମ୍ପ୍ୟୁଟର, ପ୍ରିଣ୍ଟର ଓ ୨ଟି ସିପିୟୁ ଚୋରି କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଟାଉନ ପୁଲିସ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କେତୋଟି ଅଚଳ ଥିବାବେଳେ କେତୋଟି କାର୍ଯ୍ୟକ୍ଷମ ରହିଛି । ରାତି ଜଗୁଆଳି ଓ ହୋମ ଗାର୍ଡମାନେ ଚୋରି ସମୟରେ କେଉଁଠି ଥିଲେ ସେନେଇ ତଦନ୍ତ ଚାଲିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ସନ୍ଧାନି କୁକୁର ସହାୟତା ସହ ସାଇଣ୍ଟିଫିକ ଟିମ ପୁଲିସ ପହଞ୍ଚି ତଦନ୍ତ କରୁଛି । ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ପୁଲିସ କିଛି ସୂଚନା ଦେଇନାହଁ । ଅଭିଯୁକ୍ତକୁ ଶୀଘ୍ର ଧରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।