ଅଗଷ୍ଟ ୩୦ରୁ ଦୁଇ ଦିନିଆ ଜିଲ୍ଲା ସ୍ତରିୟ ବ୍ୟାଡମିନ୍ଟନ୍ ପ୍ରତିଯୋଗିତା

ବଲାଙ୍ଗିର,ଏନ୍ଏନ୍ଏସ୍: ଆସନ୍ତା ଅଗଷ୍ଟ ୩୦ରୁ ବଲାଙ୍ଗିର ଜିଲ୍ଲାର ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବ। ଅଗଷ୍ଟ ୩୦ ଓ ୩୧ ଦୁଇ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତା ସ୍ଥାନୀୟ ରିଜର୍ଭ ପୁଲିସ ପଡିଆ ସ୍ଥିତ ଇନଡୋର୍‌ରେ ହେବା ନେଇ ସ୍ଥିର ହୋଇଛି। ପୁରୁଷ ବିଭାଗରେ ସିଙ୍ଗିଲ୍ସ୍ ଓ ଡବଲ୍ସ ଦୁଇଟି ବିଭାଗରେ ଖେଳାଳିମାନେ ପ୍ରତିଯୋଗିତାରେ ଭାଗ ନେଇପାରିବେ। ସିଙ୍ଗିଲ୍ସ୍ ପାଇଁ ୩୦୦ ଟଙ୍କା ଓ ଡବଲ୍ସ୍ ପାଇଁ ୫୦୦ ଟଙ୍କା ପଞ୍ଜିକରଣ ଫିସ୍ ରହିଛି। ପ୍ରତିଯୋଗିତାରେ ସମସ୍ତ ଖେଳାଳିଙ୍କୁ ଖେଳ ୟୁନିଫର୍ମରେ ପଡିଆକୁ ଓହ୍ଲାଇବା ସହିତ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘର ନିୟମ ମୁତାବକ ଖେଳିବାକୁ ହେବ।

ଏହି ପ୍ରତିଯୋଗିତା ପାଇଁ ଜିଲ୍ଲାର ସମସ୍ତ ଉପଖଣ୍ଡ ସ୍ତରୀୟ ଆସୋସିଏସନ୍ ମାନଙ୍କୁ ସୂଚିତ କରିଦିଆଯାଇଥିବା ବେଳେ ରିଜର୍ଭ ଇନ୍ ଡୋର ଠାରେ ପ୍ରତିଯୋଗିତା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ତରଫରୁ ଅନୁମତି ମିଳିଥିବା ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସମ୍ପାଦକ ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, କରୋନା ମହାମାରୀ କାରଣରୁ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ବ୍ୟାଡମିଣ୍ଟନ ଖେଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ତଥାପି ବଲାଙ୍ଗିର ଖେଳାଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଛନ୍ତି। ଏହି ପ୍ରତିଯୋଗିତା ଜିଲ୍ଲାରେ ବ୍ୟାଡମିଣ୍ଟନ ପ୍ରତି ଲୋକଙ୍କ ରୁଚି ବାଢାଇବା ସହିତ ନୂତନ ପ୍ରତିଭା ଗୁଡିକୁ ଲୋକ ଲୋଚନକୁ ଆଣିବ ବୋଲି ଶ୍ରୀ ମଟାରୀ ଆଶା ପ୍ରକାଶ କରିଛନ୍ତି।