ଭିନ୍ନ ଭିନ୍ନ ଦୁର୍ଘଟଣା ୧ ମୃତ, ୨ ଗୁରତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଥାନା ଅନ୍ତର୍ଗତ କୁରେଇବାହାଳ, ଶ୍ରୀନିବାସପୁର ଓ କମଳାବଗିଚା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ଉପରେ ଆଜି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ତାଳଚେର ପଟୁ ଝାରସୁଗୁଗୁଡା ଅଭିମୁଖେ ଟ୍ରକ(ଓଡି-୩୫ଏଫ୍‌-୩୮୭୫) ଯାଉଥିବା ବେଳେ ତିଳେଇବଣି ଫାଣ୍ଡି ଅନ୍ତର୍ଗତ କୁରେଇବାହାଳ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକ ପଛକୁ ଧକ୍କା ଦେଇଥିଲା। ଫଳରେ ଗାଡି ଚାଳକ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କ୍ଷୀରିଖିଆ ଗ୍ରାମର ବିପିନ କୁମାର ବେହେରାଙ୍କ ଘଟଣା ସ୍ଥଳରେ ଟ୍ରକ କ୍ୟାବିନରେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ।

ସେହିପରି ମଧ୍ୟାହ୍ନରେ କଂଢଲ ଗ୍ରାମର ଶ୍ରୀମନ୍ତ ବେହେରା କୌଣସି କାମରେ ରାଞ୍ଚି ବିଜୟୱାଡା ରାସ୍ତାରେ ଶ୍ରୀନିବାସପୁର ଗ୍ରାମ ପଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଖାଲ ରେ ପଡିଯିବାରୁ ଗୁରୁତର ହୋଇଥିଲେ। ଦୁର୍ଘଟଣା ଖବର ପାଇ ତାଙ୍କ ଭାଇ ଚନ୍ଦନ ବେହେରା ଦୁର୍ଘଟଣା ସ୍ଥଳକୁ ଆସୁଥିବା ବେଳେ ସେ କମଳା ବଗିଚା ଗ୍ରାମ ନିକଟ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଛଟିକି ପଡି ସଜ୍ଞାହୀନ ହୋଇ ପଡ଼ିଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନାପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ। ଅନ୍ୟପକ୍ଷରେ ମୃତ ଟ୍ରକ ଚାଳକ ବିପିନଙ୍କ ପରିବାର ଲୋକ ପହଞ୍ଚିବା ପରେ ଅପରାହ୍ଣରେ ମୃତ ଦେହ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।