ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳକୁ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ଦିନିକିଆ ଗସ୍ତରେ ଆସି ବିଭିନ୍ନ ଥାନା ଓ ସିଆରପିଏଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଏହି ସମୟରେ ଶ୍ରୀ ପଣ୍ଡାଙ୍କ ସହ ଆଇଜି ଅପରେଶନ ଅମିତାଭ ଠାକୁର, ଆଇଜି ସିଆରପିଏଫ ଏସ.କେ ମହାନ୍ତି, ସିଆରପିଏଫର ୧୨୭ ବାଟାଲିୟନ କମାଣ୍ଡେଣ୍ଟ ଆନନ୍ଦ ଝା, ସିଆରପିଏଫ ଡିଆଇଜି ଓ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ପ୍ରମୁଖ ହେଲିକ୍ୟାପ୍ଟର ଦ୍ୱାରା ଫୁଲବାଣୀସ୍ଥିତ ପୁଲିସ ପଡ଼ିଆରେ ଓହ୍ଲାଇଥିଲେ । ପରେ ପୁଲିସ ବ୍ୟାରେକରେ ପହଞ୍ଚି ଫୁଲବାଣୀ ଏସପି ଅଫିସ ଯାଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବର୍ତ୍ତମାନ ନୂତନ ଭାବେ ନିର୍ମାଣ କରାଯାଇଥିବା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡାକା ଏବଂ ବେଲଘର ଥାନା ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତବର୍ତ୍ତୀ ଭଣ୍ଡରଙ୍ଗୀ ଓ ଲୁବେନଗଡ଼ ସିଆରପିଏଫ କ୍ୟାମ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସମଗ୍ର କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ କରିବା ନେଇ ଯବାନଙ୍କ ସହ ସମୀକ୍ଷା କରଥିଲେ । ଏହାସହ ସେମାନଙ୍କ ମନବଳ ଦୃଢ଼ କରି ଆଗାମୀ ଦିନରେ ନକ୍ସଲ ଦମନ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରାଯିବ ବୋଲି ଆହ୍ୱାନ ଦେଇଥିଲେ ।