ଶାସକ ଦଳର ୪୬ ବିଧାୟକଙ୍କ ନାଁରେ ୧୮୦ ମାମଲା: ଜୟନାରାୟଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଶାସକ ଦଳର ୪୬ଜଣ ବିଧାୟକଙ୍କ ନାଁରେ ୧୮୦ ମାମଲା ରହିଛି । ୬ଜଣଙ୍କ ନାଁରେ ୩୦୭ ଓ ୫ଜଣଙ୍କ ନାଁରେ ଅସଦାଚରଣ, ୨ଜଣଙ୍କ ନାଁରେ ୩୯୫ ଡକାୟତି, ୯ ଜଣଙ୍କ ନାଁରେ ୩୭୯ ଚୋରି, ୪ ଜଣଙ୍କ ନାଁରେ ୧୭୧ ଲାଞ୍ଚ ନେବା, ୨୮ ଜଣଙ୍କ ନାଁରେ ୫୦୬ ଧମକ, ୫ ଜଣଙ୍କ ନାଁରେ ୩୫୪ ମହିଳା ଅସଦାଚରଣ, ଜଣଙ୍କ ନାଁରେ ୩୭୬ ଦୁଷ୍କର୍ମ, ୪ ଜଣଙ୍କ ନାଁରେ ୩୬୫ ବା ୩୬୩ ଅପହରଣ ଭଳି ମାମଲା ରହିଛି ।

ଜୟନାରାୟଣ ମିଶ୍ର ଆହୁରି କହିଛନ୍ତ ଯେ, ବିଧାନସଭା ବାହାରେ ଶାସକ ଦଳର ବିଧାୟକମାନେ ମୋ ନାଁରେ ବହୁତ କିଛି କହିଛନ୍ତି। ତେଣୁ ମୁଁ ବିଧାନସଭାରେ ଏହା କହିବା ପାଇଁ ବାଧ୍ୟ ହେଉଛି । ଯଦି ମୁଁ ଅପରାଧୀ ତେବେ ମୋ ନାଁରେ ଆପଣ ଚାର୍ଜସିଟ କରନ୍ତୁ । ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଓ ଆସନ୍ତୁ ମୋ ସହ ଖୋଲା ବିତର୍କ କରନ୍ତୁ । ମୁଁ ଯଦି ସାମାନ୍ୟତମ କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ କିଏ ପ୍ରମାଣ କରିଦେବ ତେବେ ମୁଁ ରାଜନୈତିକ ଜୀବନରୁ ସନ୍ୟାସ ନେବି । ମୋ ନାଁରେ ଥିବା ମାମଲାର ସମୀକ୍ଷା କରନ୍ତୁ । ମୁଁ ସ୍ୱେଚ୍ଛାଚାରିତାକୁ ବିରୋଧ କରିଛି ଓ କାହାକୁ ଆଘାତ କରିନି । ମୋର ସମସ୍ତଙ୍କ ପ୍ରତି ସମ୍ମାନ ଅଛି ।