ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ: ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଶ୍ରାବଣୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସରେ ଚମକିଲେ ଓଡ଼ିଶା ଝିଅ ଶ୍ରାବଣୀ ନନ୍ଦ। ୪ ବର୍ଷ ପରେ ଟ୍ରକକୁ ଫେରି ସ୍ବର୍ଣ୍ଣ ପଦକ ହାସିଲ କରିଛନ୍ତି। ୨୦୦ ମିଟର ବର୍ଗରେ ଶ୍ରାବଣୀଙ୍କୁ ମିଳିଛି ଏହି ସ୍ବର୍ଣ୍ଣ ପଦକ। ୨୪.୦୪ ସେକଣ୍ଡରେ ସେ ୨୦୦ ମିଟର ଅତିକ୍ରମ କରି ପ୍ରଥମ ସ୍ଥାନ ହାସିଲ କରିଥିଲେ।

Pole Vault, Hammer Throw ଓ Triple Jumpରୁ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିଲା ଗ୍ରାଣ୍ଡପ୍ରିକ୍ସ-୩। ଏଥିରେ ବିଭିନ୍ନ ରାଜ୍ୟର ୧୧୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ଅମୀୟ ମଲ୍ଲିକ ୨୦୦ ମିଟର ରେସରେ ଅଂଶଗ୍ରହଣ କରିବେ।

ମୋଟ ୧୭ଟି ଇଭେଣ୍ଟ ଖେଳାଯାଉଛି। ଯେଉଁଥିରେ ପୁରୁଷ ଆଥଲେଟଙ୍କ ପାଇଁ ୮ଟି ଓ ମହିଳା ଆଥଲେଟ ପାଇଁ ୯ଟି ଇଭେଣ୍ଟ ରହିଛି। ଭାରତୀୟ ଦୌଡ଼କୁଦ ମହାସଂଘ ଏବଂ ଓଡ଼ିଶା ଦୌଡକୁଦ ସଂଘ ମିଳିତ ଆନୁକୂଲ୍ୟରେ ଇଣ୍ଡିଆନ୍ ଗ୍ରାଣ୍ଡପ୍ରିକ୍ସର ଦୁଇଟି ଚରଣ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି। ଆଜି ଗ୍ରାଣ୍ଡପ୍ରିକ୍ସ-୩ ଖେଳା ଯାଉଥିବା ବେଳେ, ୨୪ ତାରିଖରୁ ଗ୍ରାଣ୍ଡପ୍ରିକ୍ସ-୪ ଆରମ୍ଭ ହେବ।