ବହୁ ପ୍ରତୀକ୍ଷିତ କେସିଙ୍ଗା ୨୨୦/୧୩୨ କେ.ଭି ବିଦ୍ୟୁତ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଅନେକ ବିଦ୍ୟୁତ ଉପଭୋକ୍ତା ଲାଭାନ୍ନିତ ହେବେ

କେସିଙ୍ଗା,ଏନ୍ଏନ୍ଏସ୍: କେସିଙ୍ଗା ଠାରେ ନବ ନିର୍ମିତ ଥିବା ବହୁ ପ୍ରତୀକ୍ଷିତ ୨୨୦/୧୩୨ କେ.ଭି ଗ୍ରୀଡ଼ ସବଷ୍ଟେସନ ଓ ବଲାଙ୍ଗିର କେସିଙ୍ଗା ଡିସି ଲାଇନକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ କେସିଙ୍ଗା ଗ୍ରୀଡ଼ ସବଷ୍ଟେସନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହ ଓ ଶକ୍ତୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, କଳାହାଣ୍ଡି ଜିଲ୍ଲାପାଳ ଗାଭିଲ ପରାଗ ହର୍ଷଦ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, ଓପିଟିସିଏଲ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପତି, କଳାହାଣ୍ଡି ଏସପି ଅଭିଳାସ ଜି ମଞ୍ଚାସିନ ଥିଲେ।

ବହୁ ଦିନର କଳାହାଣ୍ଡି, ବଲାଙ୍ଗିର ଓ ନୂଆଁପଡା ଜିଲ୍ଲା ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ଵପ୍ନ ସାକାର ହୋଇଛି। ୨୦୧୪ ମସିହାରେ ଆରମ୍ଭ ହୋଇଥିବା ଗ୍ରୀଡ଼ ସବଷ୍ଟେସନ୍‌ ୨ ବର୍ଷ ମଧ୍ୟରେ ଶେଷ ହୋଇ ସରକାର ଲୋକଙ୍କ ପାଇଁ ଉତ୍ସର୍ଗିତ କରିବାର କାର୍ଯ୍ୟକ୍ରମ ଥିଲା, ହେଲେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ଦୀର୍ଘ ୮ ବର୍ଷ ଅପେକ୍ଷା କରିବାକୁ ପଡିଛି। ସେଥିପାଇଁ ସରକାରଙ୍କୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିଥିଲା। ଶେଷରେ ୧୧୦ କୋଟି ଟଙ୍କାରେ ନିର୍ମିତ କେସିଙ୍ଗା ଗ୍ରୀଡ଼ ସବଷ୍ଟେସନ ଓ ବଲାଙ୍ଗିର ଡିସି ଏହି ଗ୍ରୀଡ଼ ସବଷ୍ଟେସନ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିଛନ୍ତି। ପ୍ରଥମେ ଥେରୁବାଲିରୁ କେସିଙ୍ଗା ଗ୍ରୀଡ଼କୁ ୧୩୨ କେ.ଭି ଲାଇନ ସଂଯୋଗ ହୋଇଅସୁଥିଲା ଫଳରେ ଟିକିଏ ବର୍ଷା କିମ୍ୱା ପବନ ଯୋଗୁଁ ବିଦ୍ୟୁତ ସରବରାହରେ ଅନେକ ଅସୁବିଧା ହେଉଥିଲା।

ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାର ସଦେଇପାଲିରୁ ୨୨୦/୧୩୨ କେଭି କେସିଙ୍ଗା ଗ୍ରୀଡ଼ ସବଷ୍ଟେସନ ଓ ବଲାଙ୍ଗିର କେସିଙ୍ଗା ଡିସି ଯୋଗୁଁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼, ନର୍ଲା ଓ ଏମ ରାମପୁରର ୧୫୨୪୨୩ ଘରୋଇ ଉପଭୋକ୍ତା ଓ ୬୩୨୭ ବଣିଜ୍ୟିକ ଉପଭୋକ୍ତା ଲାଭବାନ ହେବେ। ଏଥି ସହିତ ୩୩୫୮ କ୍ଷୁଦ୍ର ଚାଷୀ ଓ ୨୯୪ ଜଣ କ୍ଷୁଦ୍ର ଶିଳ୍ପ ଓ ୧୩୪ ଜଣ ମଧ୍ୟମ ଓ ବୃହତ ଶିଳ୍ପ ଉପଭୋକ୍ତା ଲାଭବାନ ହେବେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, କଣ୍ଟାବାଞ୍ଜି, ମୁରୀବାହଲ, ସଇଁତଲା ଓ ତୁରେକେଲାର ଅନେକ ଉପଭୋକ୍ତା ଲାଭାନ୍ନିତ ହେଉଥିବା ବେଳେ ନୂଆପଡା ଜିଲ୍ଲାର ନୂଆପଡା, କୋମନା ଖରିଆର, ବୋଡେ଼ନ ସିନାପାଲିର ହାରାହାରି ୧୨୨୫୦୦ ଉପଭୋକ୍ତା ଲାଭବାନ ହେବେ। କେସିଙ୍ଗା, କଣ୍ଟାବାଞ୍ଜି ଓ ନୂଆପଡାର ଆରଟିଏସଏସ ରେଳ ବିଭାଗ ମଧ୍ୟ ଉପକୃତ ହେବ।

କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡାର ଅନେକ କ୍ଷୁଦ୍ର ଚାଷୀ, କ୍ଷୁଦ୍ର ଶିଳ୍ପ ଓ ସାଧାରଣ ଲୋକେ ଖାସ୍ କରି ଥୁଆମୂଳ ରାମପୁର, ଲାଞ୍ଜିଗଡ଼ ଭଳି ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ବହୁ ମାତ୍ରାରେ ଉପକୃତ ହେବେ। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି କଳାହାଣ୍ଡି ବାନେର ବିଦ୍ୟୁତ୍ ୨୨୦ କେଭି ପରିଯୋଜନାରୁ କଳାହାଣ୍ଡିର ଅନେକ ଉପଭୋକ୍ତା ଲାଭବାନ ହେଉଛନ୍ତି। ଯାହା ଆଗାମୀ ଦିନରେ କେସିଙ୍ଗାର ଲୋକମାନେ ମଧ୍ୟ ତାହା ସୁବିଧା ପାଇପାରିବେ ବୋଲି ମାନ୍ୟବର ଶକ୍ତି ମନ୍ତ୍ରୀ ଉଦ୍ଭୋଦନ ଦେଇଥିଲେ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ, ଅନାମ ନାଏକ, ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବିଡ଼ିଓ ପ୍ରଫୁଲ୍ଲ ଓଡୁ, ତହସିଲଦାର ଜ୍ୟୋତିର୍ମୟ କର, ଡିଆଇପିଆରଓ ମନୋଜ କୁମାର ବେହେରା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କିରଣ ବେହେରା ପ୍ରମୁଖଙ୍କ ସହ ବହୁ ବିଜୁଜନତା ଦଳୀୟ କର୍ମକର୍ତ୍ତା କର୍ମୀ ଓ କେସିଙ୍ଗା ବ୍ଲକ୍ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଏନ୍‌ଏସି କାଉନସିଲର ଓ ବହୁ ସାଧାରଣ ଜନତା ଉପସ୍ଥିତ ଥିଲେ। ଶେଷରେ କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।