ଝାରସୁଗୁଡ଼ାରେ ପାଳିତ ହେଲା ଜାତୀୟ କ୍ରୀଡ଼ା ଦିବସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି ଅବସରରେ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦ୍ଘାଟନ କରିଛନ୍ତି। ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଶ୍ରୀ ଦାସ ସମସ୍ତ କ୍ରୀଡ଼ାବିତ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହାସହ ସେ କହିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଶରୀରକୁ ସୁସ୍ଥ ରଖିବାରେ କ୍ରୀଡ଼ାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହାଛଡ଼ା ଜଣେ ସଫଳ କ୍ରୀଡ଼ାବିତ ନିଜ ତଥା ଦେଶର ନାଁକୁ ଦେଶ ବିଦେଶରେ ପରିଚିତ କରାଇପାରୁଛି। ତେଣୁ ଦୈନନ୍ଦିନ ଜୀବନଶୈଳୀରେ ସମସ୍ତେ କ୍ରୀଡାକୁ ଅଭ୍ୟାସରେ ପରିଣତ କରନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି।

କ୍ରୀଡ଼ା ଦିବସରେ ସାଇକେଲ ରାଲିର ଆୟୋଜନ କରିଥିବା ମାରୱାଡି ଯୁବ ମଞ୍ଚକୁ ଝାରସୁଗୁଡାବାସୀଙ୍କ ବିକାଶ ପାଇଁ ବିଭିନ୍ନ ଲୋକାଭିମୁଖୀ ତଥା ହିତକର କାର୍ଯ୍ୟକ୍ରମ ହାତକୁ ନେଉଥିବାରୁ ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ ଝାରସୁଗୁଡା ଏସଡିପିଓ ନିର୍ମଳ ମହାପାତ୍ର, ଝାରସୁଗୁଡା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ତାପସରାୟ ଚୌଧୁରୀ, ସନ୍ଦିପ ଅବସ୍ତି, ହୀରାଲାଲ ଲୋକ ଚନ୍ଦାନୀ, ଆଦର୍ଶ କେଡିଆ, ସଚିନ ଶର୍ମା, ବାବୁନ ସରକାର ପ୍ରମୁଖଙ୍କ ସହ ମାରୱାଡି ଯୁବ ମଞ୍ଚର ସଦସ୍ୟ ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।