ଜାତୀୟ କ୍ରୀଡା ଦିବସ, ରିଲିଜ ହେଲା ହକି ଆନ୍ଥେମ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଜାତୀୟ କ୍ରୀଡା ଦିବସ। ଏଥିସହ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମଜୟନ୍ତୀ। ଏହି ଦିବସକୁ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ଦିବସ କରାଯିବା ସହ ହକି ଆନ୍ଥେମର ଡମି ଭିଡିଓ ରିଲିଜ୍ ହୋଇଛି। ଏହାକୁ ଲୋକାର୍ପିତ କରିଛନ୍ତି ପୂର୍ବତନ ଭାରତୀୟ ହକି ଦଳର କ୍ୟାପଟେନ୍ ଦିଲୀପ ତିର୍କି।

ହକି ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ପ୍ରସ୍ତୁତ ହୋଇଛି ଏହି ଆନ୍ଥେମ୍। ରାଜ୍ୟ ସରକାର ଏବଂ ହକି ଇଣ୍ଡିଆର ଅନୁମତି ନେଇ ସ୍ୱତନ୍ତ୍ର ଭିଡିଓ ପ୍ରସ୍ତୁତ କରାଯାଇଛି। ଏହାର ମ୍ୟୁଜିକ ଦେଇଛନ୍ତି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଆନ୍ଥେମର ଝଲକରେ କଣ୍ଠଶିଳ୍ପୀ ବିଶ୍ବଜିତ ମହାପାତ୍ର କଣ୍ଠଦାନ କରିଥିବା ନଜର ଆସିଛି। ତେବେ ଖୁବଶୀଘ୍ର ଏହାର ଅରିଜିନାଲ ଭିଡିଓ ଆସିବାକୁ ଥିବାବେଳେ ବଲିଉଡ କଣ୍ଠଶିଳ୍ପୀ କୈଳାସ ଖେର୍ ଏବଂ ସୁଖବିନ୍ଦର ସିଂ ଏହି ଆନ୍ଥେମ୍ ଗାଇବେ ବୋଲି ଜଣାପଡିଛି।

୩ ମିନିଟର ଏହି ଭିଡିଓରେ କଳିଙ୍ଗ ଷ୍ଟାଡିୟମ ସମେତ, ଖେଳ, ଖେଳାଳି ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ସ୍ଥାନିତ ପାଇଛି। ତେବେ ଖେଳ ସମୟରେ ଏହା ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଭାବେ ବ୍ୟବହାର ହେବ ବୋଲି ଜଣାପଡିଛି। ଅନ୍ୟପଟେ ଏହି ଅବସରରେ ନାଭାଲ, ଟାଟା, କ୍ରୀଡା ଛାତ୍ରାବାସ ଖେଳାଳିଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ପରିବେଷିତ ହୋଇଛି। ଏମାନଙ୍କୁ ପ୍ରଦ୍ମଶ୍ରୀ ଦିଲୀପ ତିର୍କି ଉତ୍ସାହିତ କରିବା ସହ ଆଗମୀ ଦିନରେ ଓଡିଶା କ୍ରୀଡା କ୍ଷେତ୍ରରେ ଆହୁରି ଇତିହାସ ରଚିବ ବୋଲି କହିଛନ୍ତି।