ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ଯାନ ଲୋକାର୍ପିତ ହୋଇଯାଇଛି । ଏସପି ପ୍ରମୋଦ କୁମାର ରଥ ଓ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯, ୫୩ ଓ ରାଞ୍ଚି-ବିଜୟୱାଡ଼ା ରାସ୍ତାରେ ଯାନବାହାନ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ରାଜପଥରେ ୨୪ ଘଣ୍ଟିଆ ପେଟ୍ରୋଲିଙ୍ଗ ପାଇଁ ଓଡ଼ିଶା ଟ୍ରାନ୍ସପୋର୍ଟ କମିଶନ ପକ୍ଷରୁ ଦେବଗଡ଼ ଜିଲ୍ଲା ପୁଲିସକୁ ସ୍ୱତନ୍ତ୍ର ଯାନ ପ୍ରଦାନ କରାଯାଇଛି । ଏହି ଯାନରେ ୨୪ ଘଣ୍ଟିଆ ପେଟ୍ରୋଲିଙ୍ଗ ପାଇଁ ଜଣେ ସବଇନ୍ସପେକ୍ଟର ଓ ୨ଜଣ କନେଷ୍ଟେବଳଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ନିୟୋଜିତ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରି ଜାତୀୟ ରାଜପଥରେ ବେପରୁଆ ଗାଡ଼ି ଚାଳନା କରୁଥିବା ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଯାନ କାର୍ଯ୍ୟ କରିବ ବୋଲି ଏସପି ଶ୍ରୀ ରଥ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟ୍ଟା ଓ ସରଜେଣ୍ଟ ଗୋବିନ୍ଦ ମାରାଣ୍ଡିଙ୍କ ସମେତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ବହୁ ଅଧିକାରୀ ଉପସ୍ଥିତ ଥିଲେ ।