କେନ୍ଦୁଝର,ଏନ୍ଏନ୍ଏସ୍: ଆଗାମୀ ଅକ୍ଟୋବର ୪ ତାରିଖ ରବିବାର ହେବାକୁଥିବା ୟୁପିଏସସି ପରୀକ୍ଷା ପାଇଁ ପୂର୍ବ ତଟ ରେଳବାଇ ପକ୍ଷରୁ କେନ୍ଦୁଝର ରୁ କଟକ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା ହୋଇଥିବା ଡ଼ି ଟି ଆଇ ପ୍ରଦୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ସ୍ୱତନ୍ତ୍ର ମେମୁ ଟ୍ରେନଟି ଅକ୍ଟୋବର ୩ ତାରିଖ ଅପରାହ୍ଣ ୪ଟାରେ କେନ୍ଦୁଝରଗଡ଼ ଷ୍ଟେସନରୁ ବାହାରିବ। ଏହି ଟ୍ରେନଟି ହରିଚନ୍ଦନପୁର, ସୁକିନ୍ଦା, ଜଖପୁରା, ହରିଦାସପୁର, ଧାନମଣ୍ଡଳ ଓ କପିଳାଶ ରୋଡ଼ରେ ହଲ୍ଟ କରିବ। ସେହିପରି ସନ୍ଧ୍ୟା ୭ଟା ୧୫ରେ କଟକ ଷ୍ଟେସନରେ ପହଞ୍ଚିବ।
ଅକ୍ଟୋବର ୪ ତାରିଖ ରବିବାର ସନ୍ଧ୍ୟା ୮ ଟାରେ ଏହି ଟ୍ରେନ କଟକ ଷ୍ଟେସନରୁ ବାହାରି ଉପରୋକ୍ତ ଷ୍ଟେସନରେ ରହିବା ପରେ ରାତ୍ରି ୧୧ଟା ୧୫ରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଉକ୍ତ ସ୍ୱତନ୍ତ୍ର ମେମୁ ଟ୍ରେନରେ ଇଞ୍ଜିନ ବ୍ୟତୀତ ୯ ଟି ବଗି ରହିବ। ସେହିପରି ଟିକଟ କାଉଣ୍ଟରକୁ ଯିବାବେଳେ ଓ ଟ୍ରେନରେ ଯାତ୍ରା ସମୟରେ ସମସ୍ତ କୋଭିଡ ନିୟମକୁ ପାଳନ କରିବାକୁ ଗାଇଡଲାଇନ ଜାରି କରାଯାଇଛି।
ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ପୂର୍ବତଟ ରେଳବାଇ ତରଫରୁ ଏନଡ଼ିଏ ଓ ନାଭାଲ ପରୀକ୍ଷା ସମୟରେ କେନ୍ଦୁଝରରୁ କଟକ ଏବଂ ନିଟ ପରୀକ୍ଷା ସମୟରେ କେନ୍ଦୁଝରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସ୍ୱତନ୍ତ୍ର ମେମୁ ଟ୍ରେନ ବ୍ୟବସ୍ଥା କରାଯାଇଥିଲା।