ବାରିପଦା ପୌରାଞ୍ଚଳର ଗୃହ ସଙ୍ଗରୋଧରେ ସ୍ୱାସ୍ଥ୍ୟସେବା ପରିଚାଳନା ଉପରେ ଜିଲ୍ଲାପାଳଙ୍କ ଅନୁଧ୍ୟାନ

ବାରିପଦା,ଏନ୍ଏନ୍ଏସ୍: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର କୋଭଡ୍-୧୯ ନିୟମ ଅନୁସାରେ କରୋନା ଆକ୍ରାନ୍ତ ବ୍ୟକ୍ତି ଘରୋଇ ସଂଗରୋଧରେ ରହିଛନ୍ତି। ଏହି ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ସେବା ସୁବିଧା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ପରିଚାଳନା କରାଯାଉଛି। କୋଭିଡ ହସପିଟାଲରେ ବହୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ବହୁ ସଂକ୍ରମିତ ନିଜ ନିଜ ଗୃହ ସଂଗରୋଧରେ ରହି ସ୍ୱତନ୍ତ୍ର ମେଡିକାଲ ଟିମ ଦ୍ୱାରା ଚିକିତ୍ସିତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ଗୃହ ସଂଗରୋଧରେ ରହିଥିବା ଆକ୍ରାନ୍ତ ବ୍ୟକ୍ତି ନିକଟକୁ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମେଡିକାଲ ଟିମ ସହିତ ଗସ୍ତ କରି ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ କୋଭିଡ୍ ଗାଇଡଲାଇନ ଅନୁପାଳନ ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ସେବା ଚିକିତ୍ସା ସୁବିଧା ପରିଚାଳନା ସଂପର୍କରେ ବିଭାଗୀୟ ଟିମ କର୍ମକର୍ତ୍ତାମାନଙ୍କୁ ଦିଗଦର୍ଶନ ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ଏବଂ ସମ୍ପୃକ୍ତ ସ୍ୱାସ୍ଥ୍ୟ ଟିମର ଅଧିକାରୀ ତଥା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।