କୋରାପୁଟ,ଏନ୍ଏନ୍ଏସ୍: ଆସନ୍ତା ୪ତାରିଖରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀଙ୍କ ଯାତାୟତ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଟକ ଓ ସମ୍ବଲପୁର ନିମନ୍ତେ ବସ୍ ଓ ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ମାଲକାନଗିରି, ଜୟପୁର ଓ ନବରଙ୍ଗପୁରରୁ ୧୨ଟି ବସ କୋରାପୁଟ ଦେଇ କଟକ ଯିବାକୁ ଥିବାବେଳେ ଜୟପୁରରୁ ୪ଟି ବସ ସମ୍ବଲପୁର ଯିବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସେହିପରି କୋରାପୁଟରୁ ରାୟଗଡ଼ା, ସମ୍ବଲପୁର ଦେଇ କଟକକୁ ଏକ ସ୍ୱତନ୍ତ୍ର ଟ୍ରେନ ଆସନ୍ତା ୩ ତାରିଖ ସକାଳ ୫ଟାରେ କୋରାପୁଟ ରେଳ ଷ୍ଟେସନରୁ ଛାଡ଼ିବ ବୋଲି ଜଣାପଡ଼ିଛି। ଜିଲ୍ଲାର ସମସ୍ତ ବିଡିଓ ଏବଂ ପୌରପରିଷଦ ନିର୍ବାହୀ ଅଧିକାରୀ ବ୍ୟବସ୍ଥା ସମ୍ପର୍କରେ ନିଜ ଅଞ୍ଚଳର ପରୀକ୍ଷାର୍ଥୀଙ୍କୁ ସୂଚନା ପ୍ରଦାନ କରିବାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।