କୃଷକ ବିରୋଧୀ ୩ଟି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସୁରକ୍ଷା ସଂଗଠନର ଗଣଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। କେନ୍ଦ୍ର ସରକାର ଘରୋଇ ମଣ୍ଡି ବ୍ୟବସ୍ଥା, ଠିକା ଚାଷ ଆଇନ ଓ ଅତ୍ୟାବଶକୀୟ ବସ୍ତୁ ସଂଶୋଧିତ ଆଇନ ଲାଗୁ କରି ଚାଷୀଙ୍କ ସ୍ୱାର୍ଥ ଖଣ୍ଡନ କରୁଥିବା ସଂଗଠନ ପକ୍ଷରୁ କୁହାଯାଇଛି। ତେଣୁ ସରକାର ଚାଷୀ ଓ ଖାଉଟୀ ବିରୋଧୀ ଏହି ୩ଟି ଯାକ କଳା ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହାସହ ସ୍ୱାମୀନାଥନ କମିଶନ ସୁପାରିଶ କାର୍ଯ୍ୟକାରୀ, ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପିକୁ ଆଇନଗତ ଅଧିକାର, ଜମି ମାଲିକାନକୁ ଅକ୍ଷୁର୍ଣ୍ଣ ରଖି ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା, ସରକାରୀ ମଣ୍ଡି ବ୍ୟବସ୍ଥାକୁ ମଜବୁତ ଓ ସମନ୍ୱୟ କରି ମଣ୍ଡି ସଂଖ୍ୟା ବୃଦ୍ଧି କରାଯାଉ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି।

ସେହିପରି ଜିଲ୍ଲାରେ ଘରୋଇ ମଣ୍ଡି ବ୍ୟବସ୍ଥା, ଠିକା ଚାଷ ଆଇନ ଓ ଅତ୍ୟାବଶକୀୟ ବସ୍ତୁ ସଂଶୋଧିତ ଆଇନ ଦ୍ୱାରା କୃଷକମାନଙ୍କର ସ୍ୱାର୍ଥର ବିରୁଦ୍ଧାଚରଣ ହେବ ବୋଲି ଚାଷୀମାନେ କହିଛନ୍ତି। ଏଥିସହିତ କର୍ପୋରେଟ ସଂସ୍ଥାକୁ କୃଷି କ୍ଷେତ୍ରରେ ଅବାଧ ପ୍ରବେଶ ମିଳିଳେ ଦେଶରେ ୮୬ ପ୍ରତିଶତ ଓ ରାଜ୍ୟରେ ୯୨ ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେବେ। ତେଣୁ ଘରୋଇ ମଣ୍ଡି ବ୍ୟବସ୍ଥା, ଠିକା ଚାଷ ଆଇନ ଓ ଅତ୍ୟାବଶକୀୟ ବସ୍ତୁ ସଂଶୋଧିତ ଆଇନ ପ୍ରତ୍ୟାହାର କରନ୍ତୁ ବୋଲି ଚାଷୀମାନେ କହିଛନ୍ତି।