ପୁରୀରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସ୍ୱାଗତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ଜାନୁଆରୀ ୧୭ ତାରିଖରେ ଏହି ପ୍ରକଳ୍ପର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ । ଏହାର ଭବ୍ୟ ଆୟୋଜନ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଉଥିବାବେଳେ ପ୍ରତି ଜିଲ୍ଲାର ୨ଟି ପ୍ରମୂଖ ଧର୍ମସ୍ଥଳୀର ୨ ଜଣ ଲେଖାଏଁ ମୁଖ୍ୟଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଉଛି । ଏହିକ୍ରମେ ନବରଙ୍ଗପୁର ଜିଲ୍ଲାକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ପାଇଁ ପୁରୀରୁ ଏକ ୪ ଜାଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳରେ ନୋଡାଲ ଅଫିସର ଭାବେ ଡିପିଓ ପୁରୀ ବଲରାମ ପାତ୍ର, କେଦାରନାଥ ପ୍ରତିହାରୀ, ଲୋକନାଥ ପ୍ରତିହାରୀ ଓ ଚନ୍ଦ୍ରଶେଖର ଖୁଣ୍ଟିଆ ନବରଙ୍ଗପୁର ପହଞ୍ଚିଥିଲେ । ଏହି ପ୍ରତିନିଧି ଦଳକୁ ଜିଲ୍ଲା ପ୍ରଶାସନ, ଜଗନ୍ନାଥ ମନ୍ଦିର ଓ ମାଁ ଭଣ୍ଡାର ଘରଣୀ ମନ୍ଦିର ପରିଚାଳନା କମିଟି ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ ହୋଇଥିବା ଏକ ସ୍ୱାଗତ ସମ୍ବର୍ଦ୍ଧନା ଶୋଭାଯାତ୍ରା ମାଉସୀ ମାଁ ମନ୍ଦିରରୁ ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର ଯୋଗଦେଇ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ମହେଶ୍ୱର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନବୀନ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ତହସିଲଦାର କୈଳାସ ଚନ୍ଦ୍ର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ, ଜଗନ୍ନାଥ ମନ୍ଦିରର ରାଜ ପୁରୋହିତ ଓ ବରିଷ୍ଠ ଆଇନଜୀବୀ ନରସିଂହ ତ୍ରିପାଠୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ପ୍ରତିନିଧି ଦଳ ଜଗନ୍ନାଥ ମନ୍ଦିରର ପୂଜାର୍ଚ୍ଚନା ପୂର୍ବକ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।