ସାମାଜିକ ସଚେତନତା ଶୋଭାଯାତ୍ରା

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସଦର ମହକୁମାରେ ଥିବା ମୁନିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଅଧ୍ୟକ୍ଷା କଲ୍ୟାଣୀ ପାଢ଼ୀଙ୍କ ଅଧ୍ୟକ୍ଷତା ଓ ନୋଡାଲ ଅଫିସର ଚତୁର୍ଭୁଜ ବଞ୍ଛରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫେଇ କରାଯାଇଛି । ପରେ ଧୀରେନ୍ଦ୍ର ସୁବୁଦ୍ଧି, ଦେବାଶିଷ ପଣ୍ଡା ଓ ରୋଜାଲିନ ଗୌଡ଼ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ କଲେଜ ସାଂସ୍କୃତିକ ମଣ୍ଡପରୁ ଏକ ବିଶାଳ ଶୋଭାଯାତ୍ରାରେ ମୁନିଗୁଡ଼ା ବଜାର ପରିକ୍ରମା କରିବା ସହିତ ପ୍ଲାଷ୍ଟିକ ବର୍ଜନ, ପରିବେଶ ସୁରକ୍ଷା, ସବୁଜ-ସୁନ୍ଦର ମୁନିଗୁଡ଼ା ଗଠନ, ଜଙ୍ଗଲ ସୁରକ୍ଷା ଓ ସଡ଼କ ସୁରକ୍ଷା ଆଦି ଉପରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ପରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଜୈବିକ କୃଷି ଉପରେ ଏକ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପାଢ଼ୀଙ୍କ ସଭାପତିତ୍ୱ ଓ ନୋଡାଲ ଅଫିସର ଶ୍ରୀ ବଞ୍ଚଛରଙ୍କ ସଂଯୋଜନାରେ ଆୟୋଜିତ ଜୈବିକ କୃଷି ମାଧ୍ୟମରେ କୃଷି, କୃଷକ ଓ ଉପଭୋକ୍ତାଙ୍କ ସହିତ ସମାଜର କିପରି ଉନ୍ନତି ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ମୁଖ୍ୟଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଜୈବିକ କୃଷି ଉପରେ ବକ୍ତବ୍ୟ ରଖିଥିଲେ । ଏହାସହ କୃଷିକୁ ଅର୍ଥନୈତିକ ମାନଦଣ୍ଡ ରୂପେ ଗ୍ରହଣ କରି ଯଦି ଯୁବବର୍ଗ କାର୍ଯ୍ୟ କରନ୍ତି ତେବେ ଅନେକ ରୋଜଗାର ସୃଷ୍ଟି ହେବାସହ କୃଷିପ୍ରଧାନ ଭାରତ ବର୍ଷ ଅଭିବୃଦ୍ଧି ମାର୍ଗରେ ଅଗ୍ରସର ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ପାଢ଼ୀ କହିଥିଲେ । ଛାତ୍ରଛାତ୍ରୀଙ୍କ ସୁନ୍ଦର ଅଭିନୟ, ବିଭିନ୍ନ ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅପରାହ୍ନରେ ଫୁଟବଲ୍ ଫାଇନାଲ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଥିଲା ।