ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧୀକରଣଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଭିନ୍ନକ୍ଷମଙ୍କୁ ଆଇନ ସେବା, ପରାମର୍ଶ ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନଟି ମେ’ ୨୨ ତାରିଖରୁ ୨୯ ତାରିଖ ଯାଏଁ ଚାଲିବ । ଆଜି ଏହି ଅଭିଯାନଟି ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଦିଗାମ୍ବର ପୃଷ୍ଟିଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣ ସଚିବ ସୁଶ୍ରୀ ନେହା ଦାସ କିର୍ମିରା ବ୍ଲକର ବନ୍ଧପାଲି ଗ୍ରାମଠାରୁ ଶୁଭାରମ୍ଭ କରିଥିଲେ ଏବଂ ନିଜେ ଯାଇ ଭିନ୍ନକ୍ଷମଙ୍କ କଥା ପଚାରି ବୁଝିଥିଲେ । ପ୍ରାଧିକରଣର ତାଲିକାଭୁକ୍ତ ଆଇନଜୀବୀ ରୂପାଲି ଚାଟାର୍ଜୀ, ପାରା ଲିଗାଲ ସ୍ୱେଚ୍ଛାସେବୀ ବିନିତା ଡାଙ୍ଗ, ଚଞ୍ଚଲେଶ୍ୱରୀ ପଟେଲ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ ଫୋରମର କର୍ମକର୍ତ୍ତାମାନେ ଘରକୁ ଘର ବୁଲି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା, ମାଗଣା ଆଇନ ସେବା ଓ ପରାମର୍ଶ ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଯଦି କୌଣସି ଭିନ୍ନକ୍ଷମ ବ୍ୟକ୍ତି ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି କିମ୍ବା ଭିନ୍ନକ୍ଷମଙ୍କ ପାଇଁ ଥିବା ସରକାରୀ ଯୋଜନା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତା’ହେଲେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ପରିଚାଳିତ ଟୋଲ ଫ୍ରି ନମ୍ବର ୧୮୦୦୩୪୫୭୫୭୧ରେ ଯୋଗାଯୋଗ କରିବାର ବ୍ୟବସ୍ଥା ରହିଛି ।