ଇତିହାସ ରଚିଲେ ନୀରଜ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ତାରକା ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ସୋମବାର ନିଜର ସ୍ୱର୍ଣ୍ଣିମ କ୍ୟାରିଅର୍‌ରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି । ୨୫ ବର୍ଷୀୟ ନୀରଜ ପ୍ରଥମ ଭାରତୀୟ ଟ୍ରାକ୍ ଏଣ୍ଡ୍ ଫିଲ୍‌ଡ ଆଥଲେଟ୍ ଭାବେ ବିଶ୍ୱର ଜାଭେଲିନ୍ ଥ୍ରୋୟର୍‌ଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ପହଞ୍ଚି ନୂଆ ଇତିହାସ ରଚିଛନ୍ତି । ସୋମବାର ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ଜାରି ସଦ୍ୟ ରାଙ୍କିଙ୍ଗ୍‌ରେ ନୀରଜ ବିଶ୍ୱ ଚାମ୍ପିଅନ୍ ଗ୍ରେନାଡାର ଆଣ୍ଡର୍‌ସନ୍ ପିଟର୍ସଙ୍କୁ ପଛରେ ପକାଇଦେଇଛନ୍ତି ।

ନୀରଜ ୧୪୫୫ ପଏଣ୍ଟ୍ ପାଇଛନ୍ତି, ଯାହାକି ପିଟର୍ସଙ୍କ ପଏଣ୍ଟ୍‌ଠାରୁ ୧୨ ଅଧିକ । ଚେକ୍ ଗଣରାଜ୍ୟର ଜାକୁବ୍ ଭାଲେଚ୍ ୧୪୧୬ ପଏଣ୍ଟ୍ ସହ ତୃତୀୟରେ ରହିଥିବା ବେଳେ ଜର୍ମାନୀର ଜୁଲିଆନ୍ ୱେବର୍ ୧୩୮୫ ପଏଣ୍ଟ୍ ସହ ଚତୁର୍ଥ ଓ ପାକିସ୍ତାନର ଅର୍ଶଦ୍ ନଦୀମ୍ ୧୩୦୬ ପଏଣ୍ଟ୍ ପାଇ ପଞ୍ଚମ ସ୍ଥାନରେ ରହିଛନ୍ତି । ନିକଟରେ ନୀରଜ ଦୋହା ଡାଇମଣ୍ଡ୍ ଲିଗ୍‌ରେ ୮୮.୬୭ ମିଟର ଥ୍ରୋ’ ସହ ସିଜନ୍‌ର ପ୍ରଥମ ମୁକାବିଲାରେ ବିଜୟୀ ହୋଇଥିଲେ । ଆସନ୍ତା ଜୁନ୍ ୪ରେ ସେ ନେଦରଲାଣ୍ଡ୍‌ସର ହେଙ୍ଗେଲୋଠାରେ ଫ୍ୟାନି ବ୍ଲାଙ୍କର୍ସ-କୋଏନ୍ ଗେମ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।