ସ୍ପେନ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌: ପ୍ରମୋଦ ଓ ଦୀପ ଜିତିଲେ ପଦକ

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ସ୍ପେନ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ ଲେଭଲ୍‌-୧ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଓ ଦୀପରଂଜନ ବିଶୋଇ ପଦକ ଜିତିଛନ୍ତି। ପାରା ଅଲିମ୍ପିକ୍‌ ବିଜେତା ପ୍ରମୋଦ ଏକକରେ ରୌପ୍ୟ ଓ ମିଶ୍ରିତ ଯୁଗଳରେ କାଂସ୍ୟ ଜିତିଥିଲା ବେଳେ ଦୀପରଂଜନ ପୁରୁଷ ଯୁଗଳରେ କାଂସ୍ୟ ପଦକ କରାୟତ୍ତ କରିଛନ୍ତି। ଟୋଲେଡୋରେ ଖେଳାଯାଇଥିବା ଏକକ ଫାଇନାଲ୍‌ରେ ପ୍ରମୋଦ ୬-୨୧, ୧୮-୨୧ରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କଠୁ ହାରିଯାଇଥିଲେ। ମିଶ୍ରିତ ଯୁଗଳ ସେମିଫାଇନାଲ୍‌ରେ ପ୍ରମୋଦ ଓ ତାଙ୍କ ଭାରତୀୟ ସାଥୀ ମନୀଷା ରାମଦାସ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ସେହିପରି ଦୀପରଂଜନ ଓ ମନୋଜ ସରକାର ମଧ୍ୟ ସେମିଫାଇନାଲ୍‌ରେ ହାରି କାଂସ୍ୟ ପଦକ ପାଇଥିଲେ।