ମେଘାଳୟରେ ସରକାର ଗଢିବେ କୋନରାଡ ସାଙ୍ଗମା, ଆସନ୍ତାକାଲି ନେବେ ଶପଥ

ସିଲଙ୍ଗ,ଏଜେନ୍ସି: ଆସନ୍ତାକାଲି(ମଙ୍ଗଳବାର) ଶପଥ ନେବେ କୋନରାଡ ସାଙ୍ଗମା । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତ ମାର୍ଚ୍ଚ ୨ ତାରିଖରେ ଉତ୍ତରପୂର୍ବାଞ୍ଚଳରେ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ନାଗାଲାଣ୍ଡ ଓ ତ୍ରିପୁରା ବିଜେପି ଦଖଲରେ ରହିଥିଲା ବେଳେ ମେଘାଳୟରେ ମୋଦି ମ୍ୟାଜିକ ଫିକା ପଡିଥିଲା । ସତ ହୋଇଥିଲା ଏକଜିଟ ପୋଲ ଆକଳନ ।

ମେଘାଳୟରେ ଝୁଲା ସରକାର ଗଠନ ହେବାକୁ ଯାଉଛି । ମେଘାଳୟ ଶାସନ କ୍ଷମତା ଦଖଲ ପାଇଁ ୩୧ଟି ଆସନ ଦରକାର ଥିବାବେଳେ କୌଣସି ଦଳ ଏହି ସଂଖ୍ୟା ହାସଲ କରି ପାରିନଥିଲେ । ଏନପିପିକୁ ୨୬ ଆସନ ମିଳିଥିଲେ ସୁଦ୍ଧା ସରକାର ଗଠନ କରିବାକୁ ତାହା ଯଥେଷ୍ଟ ନୁହେଁ । ତେଣୁ ଏନପିପି ମୁଖ୍ୟ କୋନରାଡ ସାଙ୍ଗମା ଅନ୍ୟ ଦଳ ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛନ୍ତି । ୟୁଡିପି ଓ ପିଡିଏଫ ସାଙ୍ଗମାଙ୍କୁ ସରକାର ଗଠନ ପାଇଁ ସମର୍ଥନ କରିଛନ୍ତି । ଆସନ୍ତାକାଲି (ମଙ୍ଗଳବାର) ଶପଥ ନେବେ କୋନରାଡ ସଙ୍ଗମା ।

ମେଘାଳୟ ବିଧାନସଭା ନିର୍ବାଚନରେ ୬୦ ଆସନରୁ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି ) ୨୬ ଆସନରେ ବିଜୟୀ ହୋଇଥିଲା । ମାତ୍ର ୨୬ ଆସନରେ ଜିତିବା ସରକାର ଗଠନ ପାଇଁ ଯଥେଷ୍ଟ ନଥିଲା । ଅନ୍ୟପଟେ ଗୋଟିଏ ବି ଦଳ ସରକାର ଗଠନ ପାଇଁ ଆବଶ୍ୟକ ଆସନ ସଂଖ୍ୟା ଛୁଇଁ ପାରି ନଥିଲେ । ଏହାପରେ ରାଜ୍ୟରେ କିଏ ସରକାର ଗଠନ କରିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଅନିଶ୍ଚିତତା ଭିତରେ ରାଜ୍ୟରେ ସରକାର ଗଠନ ଦୌଡରେ ଟିଏମସିର ମୁକୁଳ ସାଙ୍ଗମା ରହିଥିଲେ ମାତ୍ର କୋନରାଡ ସାଙ୍ଗମା ୟୁ଼ଡିପି ଓ ପିଡିଏଫର ସମର୍ଥନ ମିଳିବା ପରେ ରାଜ୍ୟରେ ସାଙ୍ଗମାଙ୍କ ଏନପିପି ଦଳ ସରକାର ଗଠନ କରିବାକୁ ଯାଉଛି । ଏନପିପିକୁ ୪୫ ବିଧାୟକଙ୍କ ସମର୍ଥନ ମିଳିଛି ।