ଆକ୍ସନ ମୋଡରେ ଏସପି, ସିଲ ହେଲା ଗୋଟିଏ ଦୋକାନ, ୩ଟି ୪ ଚକିଆ ଜବତ

ଦେବଗଡ଼,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶ ଲକଡାଉନ ଘୋଷଣା କରିଛନ୍ତି ସରକାର। ମାତ୍ର ଅନେକ ସ୍ଥାନରେ ଜନ ସାଧାରଣ ସାମାଜିକ ଏହି ନିୟମର ଉଲଂଘନ କରୁଥିବା ଦେଖାଯାଇଛି। ଏହି କ୍ରମରେ ଆଜି ଦେବଗଡ଼ ସହରରେ ଦୋକାନ ବଜାର ଖୋଲିବାରୁ ହଠାତ ଜନସାଧାରଣଙ୍କ ଚଳପ୍ରଚଳ ବଢିଯାଇଥିବା ଦେଖାଯାଇଛି। ଏହି ଭିଡ଼କୁ ଆୟତ୍ତ କରିବା ଲାଗି ସହରର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲେ ହେଁ ଅମାନିଆ ନିୟମକୁ ଉଲଂଘନ କରୁଥିଲେ।

ଦେବଗଡ଼ ଏସପି ରାହୁଲ ଜୈନ ଏ ସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇ ଆକ୍ସନ ମୋଡରେ ଆସି ସହରର ବିଭିନ୍ନ ସ୍ଥାନରେ ବୁଲିବା ସହ ରାସ୍ତାରେ ଯାଉଥିବା ଯାନବାହାନ ଯାଞ୍ଚ କରିଛନ୍ତି। ଏହି ସମୟରେ ଅମାନିଆମାନଙ୍କ ଗାଡ଼ି ଚାଳକଙ୍କ ଗାଡି ଜବତ ଓ ଜୋରିମାନା କରିଥିବା ବେଳେ ସ୍ଥାନୀୟ କାରଗିଲ ଛକ ନିକଟରେ ରବୀ ନାରାୟଣ ଆଚାର୍ଯ୍ୟ ନାମକ ଜଣେ ଦୋକାନୀ ନିୟମ ଉଲଂଘନ କରି ଧାର୍ଯ୍ୟ ସମୟ ପରେ ଦୋକାନ ଖୋଲା ରଖିଥିବା ଯୋଗୁଁ ତହସିଲଦାର ପଲ୍ଲଭି ନାୟକ ଓ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଉପସ୍ଥିତିରେ ଦୋକାନକୁ ସିଲ କରିଥିଲେ।

ଏଥିସହ ତାଙ୍କା ନାମରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଯାଞ୍ଚ ବେଳେ ସ୍କର୍ପିଓ ସମେତ ୩ଟି ୪ ଚକିଆ ଗାଡିକୁ ପୁଲିସ ଜବତ ରଖିଛି। ଏଥିସହ ଏକାଧିକ ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ଆସନ୍ତାକାଲି ଠାରୁ ପୁଲିସ ପକ୍ଷରୁ ନିୟମ ଉଲଂଘନ କାରୀଙ୍କ ବିରୋଧରେ ପୁଲିସ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସପି ଶ୍ରୀ ଜୈନ ପ୍ରକାଶ କରିଛନ୍ତି।