ସନ୍ୟାସ ଘୋଷଣା କଲେ ସାଉଥ ଆଫ୍ରିକାର ଷ୍ଟାର ବୋଲର ଡେଲ ଷ୍ଟେନ୍

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ଷ୍ଟାର ବୋଲର ଡେଲ ଷ୍ଟେନ୍ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ଏନେଇ ଷ୍ଟେନ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଷ୍ଟେନ ଏମିତି ଜଣେ ଖେଳାଳି ଯିଏକି ନିଜ ବୋଲିଂ ବଳରେ ଟିମକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଜିତାଇ ରେକର୍ଡ ସୃଷ୍ଟି କରିଛନ୍ତି।

ଡେଲ ଷ୍ଟେନ ୨୦୧୯ରେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପରେ ସୀମିତ ଓଭର ମ୍ୟାଚରେ ଖେଳୁଥିଲେ। ସେ ତାଙ୍କ କ୍ୟାରିୟରର ଶେଷ ଟି-ଟ୍ୱୋଣ୍ଟି ମ୍ୟାଚ୍ ଫେବୃୟାରୀ ୨୦୨୦ରେ ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିଲେ। ୨୦୧୬ ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ସେବେଠୁ ସେ ଲଗାତାର ଭାବେ ଆଘାତର ଶିକାର ହୋଇଥିଲେ।

ସୂଚନାଯୋଗ୍ୟ, ଡେଲ ଷ୍ଟେନ ସାଉଥ ଆଫ୍ରିକା ତରଫରୁ ୯୩ଟି ଟେଷ୍ଟ, ୧୨୫ଟି ଦିନିକିଆ ଓ ୪୭ଟି ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ ମ୍ୟାଚରେ ସର୍ବାଧିକ ୪୩୯ଟି ୱିକେଟ ନେଇଛନ୍ତି। ଷ୍ଟେନ ଆଇପିଏଲରେ ବି ୯୫ ମ୍ୟାଚ୍ ଖେଳି ୯୭ଟି ୱିକେଟ ନିଜ ନାଁରେ କରିଛନ୍ତି।