ସଇଁନ୍ତଳା,ଏନ୍ଏନ୍ଏସ୍: ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଉତ୍ତରାଞ୍ଚଳ ନିରୀକ୍ଷକ ଶଶିକାନ୍ତ ଦତ୍ତଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ତୁଷୁରା ଓ ବଲାଙ୍ଗୀର ଅବକାରୀ ବିଭାଗର ମିଳିତରେ ୩ ବାଇକ ସହ ୨୬ କେଜି ଗଞ୍ଜେଇ ଜବତ କରାଯାଇଛି। କିନ୍ତୁ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଅବକାରୀ ବିଭାଗର କର୍ମଚାରୀମାନେ ଯୁଗୀମରା ରାସ୍ତା, ରାହୁଲ ନଦୀ ବ୍ରିଜ ଓ ମୁକୁନ୍ଦପୁର ରାସ୍ତାରେ ଛପି ରହିଥିଲେ। ଏହି ସମୟରେ ଗଞ୍ଜେଇ ମାଫିଆମାନେ ଅବକାରୀ ବିଭାଗର କାର୍ମଚାରୀଙ୍କୁ ଦେଖି ଫେରାର ହେବା ପାଇଁ ଉଦ୍ୟମ କରିଥିବାବେଳେ କର୍ମଚାରୀମାନେ ସେମାନଙ୍କ ପିଛା କରିଥିଲେ। ପରେ ଗଞ୍ଜେଇ ମାଫିଆମାନେ ରାସ୍ତାରେ ବାଇକ ଛାଡ଼ି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଅବକାରୀ ବିଭାଗ ବାଇକକୁ ଜବତ କରି ଯାଞ୍ଚ କରିବାରୁ ସିଟ୍ ଭିତରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ତେବେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।