ଆସିଲା ସେପ୍ଟେମ୍ବର ଗାଇଡଲାଇନ: ହଟିଲା ସପ୍ତାହନ୍ତ ସଟଡାଉନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ନୂଆ ଗାଇଡଲାଇନ ଅନୁସାରେ, ରାଜ୍ୟର କୌଣସି ଜାଗାରେ ଏବେ ସପ୍ତାହନ୍ତ ସଟଡାଉନ ରହିବନି। ରାତି ୧୦ଟାରୁ ସକାଳ ୫ଟା ଯାଏ ସମସ୍ତ ପୌରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଧାର୍ମିକ, ରାଜନୈତିକ ଓ ସାମାଜିକ ସମାବେଶରେ କଟକଣା ବଳବତ୍ତର ରହିବ। ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ଉପରେ ମଧ୍ୟ କଟକଣା ଲାଗୁ ରହିବ। ପ୍ରେକ୍ଷାଳୟ ଓ ଅଡିଟୋରିୟମରେ ଗାଇଡଲାଇନ ମାନି ବୈଠକ ହୋଇପାରିବ। ବାହାଘର ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୨୫୦ ଲୋକଙ୍କୁ ଏକାଠି ଅନୁମତି ମିଳିବ। ଏଥିରେ ପରିବାର, ପୁରୋହିତ ଓ ବ୍ୟାଣ୍ଡ ପାର୍ଟିକୁ ମିଶାଇ ହିଁ ୨୫୦ଜଣ ରହିବେ। ବିବାହ ଶୋଭାଯାତ୍ରାରେ ୫୦ ଜଣ ସାମିଲ ହୋଇପାରିବେ। ବିବାହ ଶୋଭାଯାତ୍ରା ପାଇଁ ପ୍ରାଧୀକୃତ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ସମସ୍ତ ମ୍ୟୁଜିୟମ ଓ ପାଠାଗାର କୋଭିଡ ନିୟମ ମାନି ଖୋଲିପାରିବ। ସିନେମା ହଲରେ ଯେତିକି ସିଟ୍ ଥିବ ସେତିକି ଲୋକ ଯାଇପାରିବେ ବୋଲି ସୂଚନା ମିଳିଛି।