ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦ ମ୍ୟାଚ୍‌: ଟସ୍‌ ଜିତି ବୋଲିଂର ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ବର୍ଷା ଯୋଗୁଁ ୧୯ ଓଭର ଲେଖାଏଁ ମ୍ୟାଚ ଖେଳାଯିବ

ବେଙ୍ଗାଲୁରୁ,ଏଜେନ୍ସି: ନିର୍ଣ୍ଣାୟକ ମ୍ୟାଚ୍‌ରେ ବର୍ଷା ସାଜିଲା ବାଧକ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ପଞ୍ଚମ ତଥା ଶେଷ ଟି୨୦ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା। ଟସ୍‌ ପଡ଼ିବା ପରେ ଗୋଟିଏ ବି ବଲ୍‌ ପଡ଼ି ପାରିନାହିଁ। ଫଳରେ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହେବା ସହ ପ୍ରତ୍ୟେକ ୧୯ ଓଭର ଲେଖାଏଁ ଖେଳିବା ନେଇ ସୂଚନା ମିଳିଛି। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ ଖେଳାଯାଉଛି। ଏହାପୂର୍ବରୁ ସିରିଜ୍‌ରେ ଭାରତ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ସିରିଜ ୨-୨ରେ ବରାବର ରହିଛି।

ଆଜିର ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ ୩ଟି ପରିବର୍ତ୍ତନ କରାଯାଇଥିବା ବେଳେ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି। ଶେଷ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଚୂଡ଼ାନ୍ତ ଏକାଦଶରେ ଟେମ୍ବା ବଭୁମା, ମାର୍କୋ ଜାନ୍‌ସେନ୍‌, ତବରେଜ ଶାମସୀଙ୍କ ସ୍ଥାନରେ ଟ୍ରିଷ୍ଟନ ଷ୍ଟବ୍‌ସ୍‌ ରିଜା ହେଣ୍ଡ୍ରିକ୍ସ, କେଜି କାଗିସୋ ରବାଡାଙ୍କୁ ସ୍ଥାନ ମିଳିଛି। ଗତମ୍ୟାଚ୍‌ରେ ଏକ ବାଉନ୍ସର ବଲ୍‌ରେ ଆହତ ହୋଇଥିଲେ ଅଧିନାୟକ ଟେମ୍ବା ବଭୁମା। ତାଙ୍କ ସ୍ଥାନରେ ଆଜି କେଶବ ମହାରାଜ ଦକ୍ଷିଣ ଆଫ୍ରିକା ଅଧିନାୟକ ଦାୟିତ୍ବ ନେଇଛନ୍ତି।