ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟନା,ଏଜେନ୍ସି: ଅଚନାକ ଜଳିଲା ଯାତ୍ରୀବାହୀ ସ୍ପାଇସଜେଟ ବିମାନ । ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି । ବିହଟା ଏୟାରଫୋର୍ସ ଷ୍ଟେସନରେ ଜରୁରୀ ଅବତରଣ କରିଛି ବିମାନ । ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବିମାନରେ 185 ଯାତ୍ରୀ ଥିଲେ ।

ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ସ୍ପାଇସଜେଟ୍ ବିମାନ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଏହାର ଗୋଟିଏ ଡେଣାରେ ନିଆଁ ଲାଗିଯାଇଥିଲା । ଫଳରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ବିମାନଟି ପାଟନାର ଜୟପ୍ରକାଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ୧୧ଟା ୫୫ରେ ଉଡାଣ ଭରିଥିଲା। ଟେକ ଅଫର କିଛି ସମୟ ଭିତରେ ନିଆଁ ଲାଗିଥିଲା । ଇଞ୍ଜିନ ସମସ୍ୟା ପାଇଁ ନିଆଁ ଲାଗିଥିବା ଜଣାପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ବିମାନରେ ନିଆଁ ଲାଗିବା ସ୍ଥାନୀୟ ଲୋକ ଦେଖିଥିଲେ । ଏହାପରେ ପୋଲିସ ଓ ପ୍ରଶାସନକୁ ଖବର ଦେଇଥିଲେ । ଏହାପରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ଇଞ୍ଜିନିୟରିଂ ଦଳ ତଦନ୍ତ ଜାରି ରଖିଥିବା କହିଛନ୍ତି ପାଟନା ଡିଏମ ଚନ୍ଦ୍ରଶେଖର ସିଂହ ।