ମହିଳା ଦିନିକିଆ: ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ,ଏଜେନ୍ସି: କରୋନା କାଳରେ ପ୍ରଥମଥର ପାଇଁ ରବିବାର ପଡ଼ିଆକୁ ଓହ୍ଲାଇଛି ଭାରତୀୟ ମହିଳା କ୍ରିକେଟ୍‌ ଦଳ। ଏଠାରେ ଖେଳା ଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଘରୋଇ ଭାରତୀୟ ମହିଳା ଦଳକୁ ସହଜରେ ୮ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଅଧିନାୟିକା ମିତାଲି ରାଜଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଦଳ ୫୦ ଓଭର ଶେଷରେ ୯ ୱିକେଟରେ ୧୭୭ ରନ୍ କରି ପାରିଥିଲା। ପରେ ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଓ ଲୌରା ୱଲଭାର୍ଟ ଓପ‌ନିଂ କରି ୧୬୯ ରନ୍ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ୪୦.୧ ଓଭରରେ ୨ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ହୋଇଛି। ୯ରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ।

ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲଡିଂ ନେବା ପରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗିଥିଲା। ୪୦ ରନରେ ୩ଟି ୱିକେଟ ପଡ଼ିଥିଲା। ଜେମିମା ରଡ୍ରିଗ୍ୱେଜ୍ ୧, ସ୍ମୃତି ମାନ୍ଧନା ୧୪ ଓ ପୁନମ୍ ରାଉତ ୧୦ ରନ ‌କରି ଆଉଟ ହୋଇଥିଲେ। ପରେ ଦଳର ଦୁଇ ଶ୍ରେଷ୍ଠ ଖେଳାଳି ମିତାଲି ରାଜ୍ ଓ ହରମନପ୍ରୀତ କୌର ୬୨ ରନ୍ ଯୋଡ଼ିଥିଲେ। ଦୀପ୍ତି ଶର୍ମାଙ୍କ ସହ​ ମିତାଲି ଆଉ ୫୨ ରନ୍ ଯୋଡ଼ିଥିଲେ। ୫୪ ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିବା ମିତାଲି ୮୫ ବଲରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୦ ରନ୍ କରିଥିଲେ। ହରମନପ୍ରୀତ ୪୧ ବଲ୍‌ରୁ ୬ଟି ଚୌକା ସହ ୪୦ ରନ କରିଥିଲେ।

ଦୀପ୍ତି ଶର୍ମା ୩ଟି ଚୌକା ସହ ୨୭ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ଶବନିମ ଇସ‌ମାଇଲ ୩ଟି ଓ ନନକୁଲୁଲେକୋ ଏମଲାବା ୨ଟି ୱିକେଟ ନେଇଥିଲେ। ୧୭୮ ରନ୍ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକାର ଦୁଇ ଓପ‌ନର ଲିଜେଲ ଲି ଓ ଲୌରା ୱଲଭାର୍ଟ ୩୭ ଓଭର ପର୍ଯ୍ୟନ୍ତ ଆଉଟ୍ ନ ହୋଇ ୧୬୯ ରନ୍ ଯୋଡ଼ିଥିଲେ। ଲୌରା ୱଲଭାର୍ଟ ୧୧୦ ବଲରୁ ୧୨ଟି ଚୌକା ସହ ୮୦ ରନ ‌କରି ଆଉଟ ହୋଇଥିଲେ। ଲିଜେଲ୍‌ ଲି ୧୨୨ ବଲରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୮୩ ରନ ‌କରି ଅପରାଜିତ ଥିଲେ। ଶବ‌ନିମ ଇସମାଇଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।