ସ୍ୱିଜରଲ୍ୟାଣ୍ଡ,ଏଜେନ୍ସି: ରବିବାର ଦିନ ସ୍ୱିଜରଲ୍ୟାଣ୍ଡ ପ୍ରାୟ ସମସ୍ତ ସର୍ବସାଧାରଣ ସ୍ଥାନରେ ନକାବ ଓ ବୁର୍ଖା ସମେତ ସମ୍ପୂର୍ଣ୍ଣ ମୁହଁ ଢ଼ାଙ୍କିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମତଦାନ ହୋଇଛି। ଏହାର ସମର୍ଥନରେ ୫୧.୨୧ ପ୍ରତିଶତ ଭୋଟର ମତ ଦେଇଛନ୍ତି।
ଭୋଟରଙ୍କ ମତ ଅନୁସାରେ ରାସ୍ତାରେ, ସରକାରୀ କାର୍ଯ୍ୟାଳୟରେ, ସାଧାରଣ ପରିବହନ, ରେଷ୍ଟୁରାଣ୍ଟ, ଦୋକାନ ଓ ଗ୍ରାମାଞ୍ଚଳ ଭଳି ସାଧାରଣ ସ୍ଥାନରେ ମୁଖ ଢ଼ାଙ୍କିବା ଉପରେ ପ୍ରତିବନ୍ଧକ ଲାଗିବା ଦରକାର।
ସ୍ୱିସ୍ ଫେଡ଼ରାଲ ସରକାରଙ୍କ ପ୍ରସ୍ତାବ ଅନୁସାରେ ପର୍ଯ୍ୟଟକମାନଙ୍କ ପାଇଁ ଏହି ନିୟମରେ ବ୍ୟତିକ୍ରମ ହେବନାହିଁ। ଏହି ପ୍ରସ୍ତାବରେ ଇସଲାମ ବିଷୟରେ ବିଶେଷ ଉଲ୍ଲେଖ କରାଯାଇନଥିବା ବେଳେ ସ୍ୱିସ୍ ମିଡ଼ିଆରେ ଏହାକୁ ବୁର୍ଖା ନିଷେଧ ବୋଲି କୁହାଯାଉଛି।
ଏହି ପ୍ରସ୍ତାବକୁ ସ୍ୱିଜରଲ୍ୟାଣ୍ଡର ଧାର୍ମିକ ସଂଗଠନ, ମାନବାଧିକାର ଏବଂ ନାଗରିକ ଗୋଷ୍ଠୀ ସମାଲୋଚନା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ସମସ୍ତ ପ୍ରମୁଖ ଧାର୍ମିକ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସ୍ୱିସ୍ କାଉନସିଲ୍ ଅଫ୍ ରିଲିଜିଅନ୍ ଅନୁଯାୟୀ, ଧାର୍ମିକ ସ୍ୱାଧୀନତା ପାଇଁ ମାନବିକ ଅଧିକାର ମଧ୍ୟ ଡ୍ରେସ୍ କୋଡ୍ ଭଳି ଧାର୍ମିକ ପ୍ରଥାକୁ ସୁରକ୍ଷା ଦେଇଥାଏ।
ତେବେ ସ୍ୱିସ୍ ଫେଡ଼ରାଲ କାଉନସିଲ ଓ ସ୍ୱିସ୍ ସଂସଦ ମଧ୍ୟ ଏହି ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରି ଲୋକଙ୍କୁ ଏହା ବିରୋଧରେ ଭୋଟ ଦେବାକୁ ପରାମର୍ଶ ଦେଇଛନ୍ତି।