ମନ୍ଦିର ଦର୍ଶନ କଲେ ସାଉଥ ଆଫ୍ରିକା ଖେଳାଳି

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜିଠୁ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ଭାରତୀୟ ଭକ୍ତିଭାବରେ ଡୁବି ଥିବାବେଳେ ସାଉଥ ଆଫ୍ରିକାର ଜଣେ କ୍ରିକେଟର ମଧ୍ୟ ମନ୍ଦିର ଯାଇ ଦେବୀ ମା’ଙ୍କୁ ଦର୍ଶନ କରିଛନ୍ତି । ସେହି ଷ୍ଟାର ଅଲରାଉଣ୍ଡର ଜଣକ ହେଉଛନ୍ତି କେଶବ ମହାରାଜ । ଏହି ଅବସରରେ କେଶବ ପରମ୍ପରାଗତ ଧୋତୀ ପିନ୍ଧି ପୂଜା କରଛନ୍ତି । କେଶବ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରି ‘ଜୟ ମାତା ଦୀ’ ଲେଖିଛନ୍ତି । ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

କେଶବ ମହାରାଜ ଉତ୍ତରପ୍ରଦେଶର ସୁଲତାନପୁର ସହ ଜଡ଼ିତ କିନ୍ତୁ ତାଙ୍କ ପୂର୍ବଜ ୧୮୭୪ ମସିହାରେ ଡରବାନ ଯାଇ ସେଠାକାର ବାସିନ୍ଦା ହୋଇଯାଇଥିଲେ । ଦୀର୍ଘ ବର୍ଷ ହେବ ସାଉଥ ଆଫ୍ରିକାରେ ରହିଲେ ମଧ୍ୟ କେଶବଙ୍କ ହୃଦୟରେ ଏବେ ବି ଭାରତ ପାଇଁ ଭଲ ପାଇବା ଓ ସମ୍ମାନ ରହିଛି । କେଶବ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରୁଥିବାବେଳେ ସେ ହନୁମାନଙ୍କର ମଧ୍ୟ ଜଣେ ବଡ଼ ଭକ୍ତ ।

ସୂଚନାଯୋଗ୍ୟ, ଭାରତ ବିରୋଧରେ ୩ଟି ଲେଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଭାରତ ପହଞ୍ଚିଛି । ଦକ୍ଷିଣ ଆଫ୍ରିକା ଟିମ୍ ସେପ୍ଟେମ୍ବର ୨୮ରେ ତିରୁଅନନ୍ତପୁରମରେ ଭାରତ ବିରୋଧରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ ।