ସାମସନଙ୍କ ଲଢ଼ୁଆ ଇନିଂସ, ଦକ୍ଷିଣ ଆଫ୍ରିକାଠୁ ୯ ରନ୍‌ରେ ହାରିଲା ଭାରତ

ଲକ୍ଷ୍ନୌ,ଏଜେନ୍ସି: ଭାରତକୁ ପ୍ରଥମ ଦିନିକିଆରେ ୯ ରନ୍‌ରେ ପରାଜିତ କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ୨୫୦ ରନ୍‌ ବିଜୟ ଲକ୍ଷ ପିଛା କରି ଭାରତ ୯ ୱିକେଟ ବିନିମୟରେ ମାତ୍ର ୨୪୦ ରନ୍‌ ହିଁ କରି ପାରିଥଲା । ଭାରତ ପକ୍ଷରୁ ଶ୍ରେୟସ ଆୟର ଓ ସଞ୍ଜୁ ସାମ୍‌ସନ୍‌ ଲଢ଼ୁଆ ପାଳି ଖେଳିଥିଲେ । ତେବେ ବିଜୟ ପାଇଁ ଏହି ପାଳି ଯଥେଷ୍ଟ ନଥିଲା । ଶ୍ରେୟସ ଆୟର ୩୭ ବଲର୍‌ ୫୦ ରନ୍‌ କରିଥିଲେ । ସେହିଭଳି ସଞ୍ଜୁ ସାମସନ୍‌ ୬୪ ବଲ୍‌ରେ ୮୬ ରନ୍‌ କରି ଅପରାଜିତ ରହିଥିଲେ । ଆଉ କୌଣସି ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍‌ରୁ ରନ୍‌ ବାହାରି ପାରିନଥିଲା ।

ଅନ୍ୟପଟେ ଦକ୍ଷିଣ ଆଫ୍ରିାକ ବୋଲରଙ୍କ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗିଡି ସର୍ବାଧିକ ୩ଟି ୱିକେଟ ନେଇଥିଲେ । କାଗିସୋ ରବାଡା ଦୁଇଟି ୱିକେଟ ନେଇଥିବା ବେଳେ ମହାରାଜ, ପାର୍ଣ୍ଣେଲ ସାମ୍‌ସୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ସମ୍‌ସା ଆଜି ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି ।

ଦଳୀୟ ସ୍କୋର୍‌ ମାତ୍ର ୮ ରନ୍‌ ହୋଇଥିବା ବେଳେ ଶୁଭମନ ଗିଲ୍‌ ଭାବରେ ଭାରତ ପ୍ରଥମ ୱିକେଟ ହରାଇଥିଲା । ଅଧିନାୟକ ଶିଖର ଧାୱନ ମଧ୍ୟ ବେଶି ସମୟ ପିଚ୍‌ରେ ବିତାଇ ପାରିନଥିଲେ । ଡେବ୍ୟୁ ମ୍ୟାଚ୍‌ ଖେଳୁଥିବା ଋତୁରାଜ ଗାୟକୱାଡ ପିଚ୍‌ରେ ରହିଥିଲେ ସୁଦ୍ଧା ଆକର୍ଷଣୀୟ ଇନିଂସ ଖେଳି ପାରିନଥିଲେ । ଦଳୀୟ ସ୍କୋର୍‌ ୫୧ ସୁଦ୍ଧା ଭରାତ ୪ଟି ୱିକେଟ ହରାଇ ସାରିଥିଲା । ଏହାପରେ ଶ୍ରେୟସ ଆୟର ଓ ସଞ୍ଜୁ ସାମସନ୍‌ ପାଳିକ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ଆୟର ଆଉଟ ହେବାପରେ ଶାର୍ଦ୍ଦୁଳ ଠାକୁର ମଧ୍ୟ ୩୩ ରନ୍‌ କରିଥିଲେ । ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୩୦ ରନ୍‌ ଆବଶ୍ୟକ ହେଉଥିଲା । ତେବେ ଭାରତ ୨୧ ରନ୍‌ ହିଁ କରି ପାରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ୩ ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।