ଦେବଗଡ଼ରେ ମା’ଙ୍କୁ ମେଲାଣି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଦେବଗଡ଼ ଜିଲ୍ଲାର ପୁରପଲ୍ଲୀରେ ମାଙ୍କ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ପୌରାଞ୍ଚଳର ଫ୍ରେଣ୍ଡ୍ସ କ୍ଲବ୍‌, ଖପର ସାହି ସ୍ଥିତ ଜୟ ଦୁର୍ଗା କ୍ଲବ୍‌, ବାବୁ ସାହି ସ୍ଥିତ ଉତ୍କଳ ଦୁର୍ଗା ପୂଜା କମିଟି, ମୁଖ୍ୟ ବଜାର ଠାରେ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜା କମିଟି ଭଳି ବିଭିନ୍ନ ପୂଜା କମିଟି ପକ୍ଷରୁ ଆଜି ମା’ଙ୍କୁ ମେଲାଣି ଦିଆଯାଇଛି।

ସ୍ୱଳ୍ପ ଶବ୍ଦ ସମ୍ପନ୍ନ ଡିଜେ ସହ ସଂକୀର୍ତ୍ତନ ଓ ବିଭିନ୍ନ ବାଦ୍ୟର ତାଳେତାଳେ ଆୟୋଜକ ପୂଜା କମିଟି ପକ୍ଷରୁ ଶୋଭାଯାତ୍ରା ନଗର ପରୀକ୍ରମା କରିବା ପରେ କଚେରୀ ବନ୍ଧ ଠାରେ ମା’ଙ୍କ ମୂର୍ତ୍ତିକୁ ବିସର୍ଜନ କରିଥିଲେ। ବର୍ଷା ପାଗ ଯୋଗୁଁ ଭସାଣି ଶୋଭାଯାତ୍ରା ଫିକା ପଡିଥିବା ବେଳେ ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ସମ୍ପୂର୍ଣ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।