୮ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ଆଠଟି ସହରରେ ୫ଜି ପ୍ଲସ୍ ସେବା ଆରମ୍ଭ କଲା ଏୟାରଟେଲ୍ । ଭାରତର ୮ଟି ସହରରେ ଗୁରୁବାର(ଅକ୍ଟୋବର ୬) ଠାରୁ ଏହି ସେବା ଆରମ୍ଭ କରିଛି ଭାରତୀ ଏୟାରଟେଲ୍ । ଏୟାରଟେଲ ୪ଜି ସିମ୍ ବର୍ତ୍ତମାନ ୫ଜି ଭଳି କାର୍ଯ୍ୟକାରୀ ହେବ, ତେଣୁ ଉପଭୋକ୍ତାଙ୍କୁ ସିମ୍ କାର୍ଡ ବଦଳାଇବାକୁ ପଡିବ ନାହିଁ ବୋଲି କମ୍ପାନୀ କହିଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁରୀ, ନାଗପୁର ଏବଂ ବାରଣାସୀର ଗ୍ରାହକମାନେ ପର୍ଯ୍ୟାୟକ୍ରମେ ଏୟାରଟେଲ ୫ଜି ପ୍ଲସ ସେବାକୁ ଉପଭୋଗ କରିବା ଆରମ୍ଭ କରିବେ ବୋଲି କମ୍ପାନୀ କହିଛି ।

ଯେଉଁ ଗ୍ରାହକଙ୍କର ୫ଜି ସ୍ମାର୍ଟଫୋନ୍ ଅଛି, ସେବା ଅଧିକ ବ୍ୟାପକ ନହେବା ପର୍ଯ୍ୟନ୍ତ ସେମାନଙ୍କର ଡାଟା ପ୍ଲାନର ହାଇ ସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ଉପଭୋଗ କରିବେ । ଭାରତୀ ଏୟାରଟେଲ ପରିଚାଳନା ନିର୍ଦ୍ଦେଶକ ଗୋପାଲ ଭିତାଲ କହିଛନ୍ତି ଯେ, “ଆମର ଏହି ବ୍ୟବସ୍ଥା ୫ଜି ହ୍ୟାଣ୍ଡସେଟ ଏବଂ ବର୍ତ୍ତମାନ ଗ୍ରାହକ ବ୍ୟବହାର କରୁଥିବା ସିମ୍ ଉପରେ କାମ କରିବ । ଏୟାରଟେଲ ୫ଜି ପ୍ଲସ ଲୋକମାନଙ୍କର ଯୋଗାଯୋଗ, ଜୀବନଯାପନ, କାର୍ଯ୍ୟ ପ୍ରଣାଳୀକୁ ସୁଗମ କରିବ ।”

ଏୟାରଟେଲ ୫ଜି ପ୍ଲସ୍ ଏକ ଟେକ୍ନୋଲୋଜିରେ ଚାଲିଥାଏ, ଯେଉଁଥିରେ ସବୁଠାରୁ ବିକଶିତ ଇକୋସିଷ୍ଟମ ସହିତ ବିଶ୍ୱରେ ସର୍ବ ବୃହତ ବ୍ୟବହାରକାରୀ ଅଛନ୍ତି । ତେଣୁ ଭାରତର ସମସ୍ତ ୫ତି ସ୍ମାର୍ଟଫୋନ୍ ଏୟାରଟେଲ ନେଟୱାର୍କରେ ନିରବଚ୍ଛିନ୍ନ ଭାବରେ କାମ କରିବ । ଏୟାରଟେଲ ୫ଜି ପ୍ଲସ୍ ହାଇ-ଡେଫିନେସନ୍ ଭିଡିଓ ଷ୍ଟ୍ରିମିଂ, ଗେମିଂ, ଚାଟିଂ, ଫଟୋ ଅପଲୋଡ୍ ଏବଂ ସୁପରଫାଷ୍ଟ ଆକ୍ସେସ୍ ଅନୁମତି ଦେବ । ଗତ ସପ୍ତାହରେ ଦେଶରେ ୫ଜିର ଆନୁଷ୍ଠାନିକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ମାର୍ଟ ଫାର୍ମିଂ ସମାଧାନ ସହିତ ଜରୁରୀକାଳୀନ ପରିସ୍ଥିତିରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଭାରତୀ ଏୟାରଟେଲ ଏକ ୫ଜି ସଂଯୁକ୍ତ ଆମ୍ବୁଲାନ୍ସ ପ୍ରଦର୍ଶନ କରିଥିଲା ।