ଆଇସିସି ଟି-୨୦ ବିଶ୍ବକପ: ଭାରତକୁ ୫ ୱିକେଟ୍‌ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା, ମିଲର-ମାରକମ୍‌ଙ୍କ ଅର୍ଦ୍ଧଶତକ

ପର୍ଥ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍‌-୨୦୨୨ରେ ଭାରତକୁ ରବିବାର ୫ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ପର୍ଥ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୯.୪ ଓଭରରେ ୫ ୱିକେଟ୍‌ ହରାଇ ୧୩୭ ରନ୍‌ କରିଛି। ଐଦେନ୍‌ ମାର୍କମ ଓ ଡେଭିଡ ମିଲର ଅର୍ଦ୍ଧଶତକ ହାସଲ କରିଛନ୍ତି।

ଦକ୍ଷିଣ ଆଫ୍ରିକା ପାଇଁ ଐଦେନ ମାରକମ୍‌ ଦଳ ପାଇଁ ସର୍ବାଧିକ ସ୍କୋର କରିଥିଲେ। ସେ ୪୧ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୫୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଡେଭିଡ୍‌ ମିଲର ଅପରାଜିତ ୫୯ ରନ୍‌ କରିଥିଲେ। ଭାରତ ଆରମ୍ଭରୁ ଭଲ ବୋଲିଂ କରିଥିଲା। ଦକ୍ଷିଣ ଆଫ୍ରିକା ୨୪ ରନ୍‌ ସଂଗ୍ରହ କରିଥିଲା ବେଳେ କ୍ବିଣ୍ଟନ୍‌ ଡି’ କକ୍‌ (୧), ରିଲି ରୋସୋୟୁ (ଶୂନ୍ୟ) ଓ ଅଧିନାୟକ ତେମ୍ବା ବାଭୁମା ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଚତୁର୍ଥ ୱିକେଟ୍‌ରେ ମାରକମ୍‌ ଓ ମିଲରଙ୍କ ଯୋଡ଼ି ୭୬ ରନ୍‌ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଅନ୍ୟପଟରେ ଭାରତୀୟ ଖେଳାଳିମାନେ ଖରାପ ଫିଲ୍ଡି କରିଥିଲେ।

ପ୍ରଥମ ପାଳିରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୩୩ ରନ୍‌ ସଂଗ୍ରହ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଲୁଙ୍ଗି ଏନ୍‌ଗିଡି ନାୟକ ସାଜିଥିଲେ। ଏନ୍‌ଗିଡିଙ୍କ ବୋଲିଂ ଯୋଗୁଁ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ତାଙ୍କୁ ୪ଟି ୱିକେଟ୍‌ ମିଳିଥିଲା। ସେ ୪ ଓଭର ବୋଲିଂ କରି ୨୯ ରନ୍‌ ଖର୍ଚ୍ଚ କରିଥିଲେ।

ଟସ୍‌ ଜଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ‌କେଏଲ୍‌ ରାହୁଲ ପାଳି ଆରମ୍ଭ କରିଥିଲେ। ଭାରତର ସ୍କୋର ୨୩ ରନ୍‌ରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ କେଏଲ୍‌ ରାହୁଲ। ସେ ୧୪ଟି ବଲ୍‌ ସାମ୍ନା କରି ଗୋଟିଏ ଛକା ବଳରେ ୯ ରନ୍‌ ସଂଗ୍ରହ କରିଥିଲେ। ଭାରତର ଦ୍ବିତୀୟ ୱିକେଟ୍‌ ଭାବେ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ। ସେ ୧୪ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୫ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ।

ଚଳିତ ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ବିରାଟ କୋହଲି ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୨ଟି ଚୌକା ବଳରେ ୧୨ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ କୋହଲି ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ଛିଡ଼ା ହୋଇପାରି ନଥିଲେ। ସେ ଦକ୍ଷିଣ ଆଫ୍ରିକାର ୩ୟ ଶିକାର ହୋଇଥିଲେ। ୪ ର୍ଥ ୱିକେଟ୍‌ ଭାବେ ଦୀପକ ହୁଡ଼ା (ଶୂନ୍ୟ ରନ୍‌) ଓ ୫ମ ୱିକେଟ ଭାବେ ଅଲରାହଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (୨) ଆଉଟ୍‌ ହୋଇଥିଲେ। ଭାରତ ୪୯ ରନ୍‌ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା।

ଭାରତ ସ୍କୋରରେ ମଧ୍ୟକ୍ରମର ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଭୂମିକା ଥିଲା। ଦକ୍ଷିଣ ଆଫ୍ରିକାର ପ୍ରଭାବୀ ବୋଲିଂ କାରଣରୁ ଭାରତୀୟ ଖେଳାଳିମାନେ କ୍ରିଜ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରୁ ନ ଥିଲା ବେଳେ ସୂର୍ଯ୍ୟକୁମାର ଯାଦବ ଦମ୍ଭର ସହିତ ଖେଳିଥିଲେ। ସେ ୪୦ଟି ବଲ୍‌ ଖେଲି ୬ଟି ଚୌକା ଓ ୩ଟି ଚୌକା ବଳରେ ୬୮ ରନ୍‌ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଲୁଙ୍ଗି ଏନ୍‌ଗିଡିଙ୍କୁ ସର୍ବାଧିକ ୪ଟି ୱିକେଟ୍‌ ମିଳିଥିଲା। ୱେନ ପାର୍ଣ୍ଣେଲ୍‌ ୩ଟି ୱିକେଟ୍‌ ନେଇଥିଲା ବେଳେ ନର୍ଖିୟା ଗୋଟିଏ ୱିକେଟ୍‌ ନେଇଥିଲେ।